fbpx

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିବେଦନ: ପୂଜାରେ ପ୍ରଦୂଷଣ ମୁକ୍ତ ରହିବା ପାଇଁ ପ୍ରଶାସନ, ପୂଜା କମିଟି ଓ ଜନସାଧାରଣ ପାଇଁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଦୂଷଣମୁକ୍ତ ରହିବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି) ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଗଣେଶ ପୂଜା, ଖୁଦୁରୁକୁଣୀ ପୂଜା, ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା ଓ ସରସ୍ୱତୀ ପୂଜାରେ ସତର୍କ ରହିବାକୁ କୁହାଯାଇଛି । ଏହି ଅବସରରେ ପୂଜା କମିଟିର କର୍ମକର୍ତ୍ତା, ଜିଲ୍ଲା ପ୍ରଶାସନ, ଜନସାଧାରଣଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ମୂର୍ତ୍ତି ନିର୍ମାଣରେ ପୋଡ଼ା ମାଟି ପରିବର୍ତ୍ତେ ପ୍ରାକୃତିକ ମାଟି ବ୍ୟବହାର କରିବା, ମୂର୍ତ୍ତିରେ ବିଷାକ୍ତ ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା, ମୂର୍ତ୍ତିର ଉଚ୍ଚତାକୁ ୨୦ ଫୁଟ ଓ ମଣ୍ଡର ଉଚ୍ଚତାକୁ ୪୦ ଫୁଟ ମଧ୍ୟରେ ସୀମିତ ରଖିବା, ମୂର୍ତ୍ତିକୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବା, ସାଜସଜ୍ଜା, ପ୍ରସାଦ ବିତରଣ ପାଇଁ ପ୍ଲାଷ୍ଟିକ କିମ୍ବା ଥର୍ମୋକଲରେ ତିଆରି ଜିନିଷର ବ୍ୟବହାର ନ କରିବାକୁ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନିବେଦନ କରାଯାଇଛି ।

ସେହିପରି ମୂର୍ତ୍ତି ବିସର୍ଜନଜନିତ ଜଳ ପ୍ରଦୂଷଣ ନେଇ ସଚେତନ ହେବା, ପ୍ରାକୃତିକ ରଙ୍ଗ ବ୍ୟବହୃତ ମୂର୍ତ୍ତି କିଣିବା ନେଇ ସଚେତନ ହେବା, ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ ନେଇ ପୂଜା କମିଟିକୁ ଅବଗତ କରାଇବା, ମୂର୍ତ୍ତି ବିସର୍ଜନ ହେବାର ୨୪ ଘଣ୍ଟା ମଧ୍ୟରେ ଅସ୍ଥାୟୀ ପୋଖରୀରୁ ବିସର୍ଜିତ ସାମଗ୍ରୀକୁ ବାହାର କରି ମ୍ୟୁନିସିପାଲ ଡମ୍ପସାଇଟକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ତଥା ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିବେଦନ କରାଯାଇଛି । ପୂଜାରେ ପ୍ରାକୃତିକ ରଙ୍ଗଯୁକ୍ତ ମୂର୍ତ୍ତି କିଣିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ନିୟମ ନ ମାନିଲେ ଫାଇନ୍ ଓ ଦଣ୍ଡ ବ୍ୟବସ୍ଥା କରାଯାଇଛି । ସମସ୍ତ ମିଳିମିଶି ପ୍ରଦୂଷଣମୁକ୍ତ ପୂଜା ପାଳନ ନିମନ୍ତେ ଯତ୍ନବାନ ହେବାକୁ କୁହାଯାଇଛି ।

Get real time updates directly on you device, subscribe now.