fbpx

ରାଜ୍ୟ ଜଳ ସମ୍ପଦ ବିଭାଗ ଆରମ୍ଭ କରିବ ‘Go-Water’ ପଦ୍ଧତି: କୃତ୍ରିମ ବୁଦ୍ଧିମତା ଦ୍ୱାରା ପରିଚାଳିତ ହେବ ହିରାକୁଦ ଡ୍ୟାମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବା ବେଳେ ଏହାର ଜଳ ଉପରେ ରାଜ୍ୟର ୧୫ଟି ଜିଲ୍ଲାର ଲୋକମାନେ ନିର୍ଭର କରିଥାନ୍ତି । ହିରାକୁଦ ଜଳଭଣ୍ଡାରର ଜଳକୁ ପାନୀୟ ଜଳ, ଶିଳ୍ପ କାରଖାନା ଓ ଚାଷକାର୍ଯ୍ୟରେ ଉପଯୋଗ କରାଯାଇଥାଏ । ତେବେ ବର୍ଷା ସିଜିନରେ ପରିଚାଳନାଗତ ତ୍ରୁଟି କାରଣରୁ ରାଜ୍ୟରେ ପ୍ରଳୟଙ୍କରୀ ବନ୍ୟା ସ୍ଥିତି ଉପୁଜିଥାଏ ।

ତେଣୁ ହିରାକୁଦ ଜଳଭଣ୍ଡାରର ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ତେଣୁ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ‘ଗୋ-ୱାଟର’ ପଦ୍ଧତି ପ୍ରଚଳନ କରାଯିବ । ଅତ୍ୟାଧୁନିକ ‘କୃତ୍ରିମ ବୁଦ୍ଧିମତ୍ତା’ (ଏଆଇ) ସଫ୍ଟୱେର ମାଧ୍ୟମରେ ଡ୍ୟାମର ଜଳକୁ ପରିଚାଳନା କରାଯିବ । ‘ଗୋ-ୱାଟର’ ଏକ ତଥ୍ୟ କେନ୍ଦ୍ର ବୋଲି ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଏହା ତିନୋଟି ଦିଗରେ କାର୍ଯ୍ୟ କରିବ ।

ଏହାଦ୍ୱାରା ଜଳର ସ୍ଥିତି ସମ୍ପର୍କରେ ଜାଣିହେବ । କେଉଁ କେନାଲରେ କେତେ ଜଳ ଅଛି ଓ ତା’ର ଆର୍ଦ୍ରତାକୁ ନେଇ କେନାଲରେ ଆପେଆପେ ଜଳ ପ୍ରବାହିତ କରାଯାଇ ପାରିବ । ଫଳରେ ଚାଷୀମାନେ ଉପକୃତ ହେବା ସହିତ ଜଳର ସୁପରିଚାଳନା ତଥା ସୁବଣ୍ଟନ ହୋଇପାରିବ । ତୃଣମୂଳ ସ୍ତରରେ ଜଳ ସମସ୍ୟାକୁ ଚିହ୍ନଟ କରାଯାଇ ତା’ର ସମାଧାନ ଦିଗରେ ଏହି ପ୍ରକ୍ରିୟା କାର୍ଯ୍ୟ କରିବ । ହାଇଦ୍ରାବାଦର ‘ଭାସାର ଲାବ’ ଏହି ‘ଗୋ-ୱାଟର’ ତଥ୍ୟ କେନ୍ଦ୍ରକୁ ପରିଚାଳନା କରିବ । ସେଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଉକ୍ତ ସଂସ୍ଥାକୁ ପାଖାପାଖି ୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତଥ୍ୟ କେନ୍ଦ୍ରକୁ ଉଦଘାଟନ କରିବେ । ତେବେ କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଏହି ସଂସ୍ଥା ଗୋଟିଏ ଲେଖାଏଁ କ୍ଷେତ୍ରରେ କାର୍ଯ୍ୟ କରିଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ୩ଟି କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ବିଭାଗୀୟ ଓଏସଡି କହିଛନ୍ତି । ଆଗାମୀ ଦିନରେ ଏହାଦ୍ୱାରା ରାଜ୍ୟର ବିଭିନ୍ନ ଜଳଭଣ୍ଡାରର ଜଳକୁ ସ୍ୱୟଂଚାଳିତ ଭାବେ ନିୟନ୍ତ୍ରଣ କରାଯାଇ ପାରିବ ।

Get real time updates directly on you device, subscribe now.