fbpx

ପଞ୍ଚୁକ ୫ ଦିନରେ ବଡ଼ ଦାଣ୍ଡର ସମସ୍ତ ଉଠାଦୋକାନ ବନ୍ଦ

ପୁରୀ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ନେଲା ବଡ଼ ନିଷ୍ପତି । ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ମରଚିକୋଟ ଛକ ପର୍ୟ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ମାର୍କେଟ ଛକରୁ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ କରାଯିବ। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ପଞ୍ଚୁକରେ ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ମୁତୟନ ରହିବେ। ଏହା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଚୁକ ପାଇଁ ଅଧିକ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ବର୍ତ୍ତମାନ ଡାକବାଜି ଯନ୍ତ୍ରରେ ଦର୍ଶନ ବ୍ୟବସ୍ଥା ଉପରେ ସୂଚନା ଦିଆଯାଉଛି। ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ଦାଣ୍ଡର ଦୁଇପାର୍ଶ୍ୱରେ ଅସ୍ଥାୟୀ ଶୌଚାଳୟ କରାଯାଇଛି। ଭକ୍ତଙ୍କ ଲାଗି ପ୍ରତି ସେଡ୍ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି।

ଏଠାରେ କହି ରଖୁ ଯେ,ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଫଳରେ ବହୁ ସମୟ ବ୍ୟାରିକେଡ଼ରେ ରହି ଦର୍ଶନାର୍ଥୀ ମାନେ ଜଗା ଦର୍ଶନ କରୁଛନ୍ତି । ଏହି ଭିଡ଼ରେ ବୟସାଧିକ ଓ ରୋଗାକ୍ରାନ୍ତ ଶ୍ରଦ୍ଧାଳୁମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଆଗ୍ରହ ସହ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଆସିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ବିଶେଷକରି ଏହି ପ୍ରବଳ ଭିଡ଼ ସମୟରେ ବୟସାଧିକ ଓ ରୋଗାକ୍ରାନ୍ତ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବାକୁ ନ ଆସନ୍ତୁ ବୋଲି ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରି କହିଥିଲେ ।

Get real time updates directly on you device, subscribe now.