fbpx

ଷ୍ଟିଭ ସ୍ମିଥ ନେବେ ୱିଲିୟମସନଙ୍କ ସ୍ଥାନ? ଏହି ଖେଳାଳିମାନଙ୍କ ଭିତରେ ହେବ ଟକ୍କର

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ପ୍ରଥମ ମ୍ୟାଚରୁ ହିଁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ କେନ୍ ୱିଲିୟମସନ ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି । ତେବେ ଗୁଜୁରାଟ ଦଳରେ ତାଙ୍କ ସ୍ଥାନ କେଉଁ ଖେଳାଳି ନେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ୱିଲିୟମସନଙ୍କ ବିକଳ୍ପ ଖୋଜିବାରେ ଲାଗିଛନ୍ତି । ଏଥିପାଇଁ ୩ ଜଣ ବିଦେଶୀ ଖେଳାଳିଙ୍କ ନାଁ ଖୁବ ଚର୍ଚ୍ଚାରେ ରହିଛି ।

ଗୁଜୁରାଟ ପକ୍ଷରୁ ଚଳିତବର୍ଷ ପ୍ରଥମ ସିଜନ ଖେଳାଯାଉଥିବା ବେଳେ କେନ୍ ୱିଲିୟମସନ ଆହତ ହୋଇଛନ୍ତି । ତେବେ ତାଙ୍କ ସ୍ଥାନରେ କିଏ ଖେଳିବେ ? ଏହା ବର୍ତ୍ତମାନ ଏକ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି । ଗୁଜୁରାଟ ୱିଲିୟମସନଙ୍କ ସ୍ଥାନରେ ଜଣେ ଅଭିଜ୍ଞ ଖେଳାଳିଙ୍କୁ ନେବା ପାଇଁ ଚିନ୍ତା କରୁଛି । ତେବେ ଏହି ତାଲିକାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଅଷ୍ଟ୍ରେଲିଆର ଷ୍ଟାର ପ୍ଲେୟର ଷ୍ଟିଭ ସ୍ମିଥଙ୍କ ନାଁ । ତାଙ୍କ ସହିତ ଅନ୍ୟ ଦୁଇ ଖେଳାଳି ମଧ୍ୟ ଏହି ତାଲିକାରେ ରହିଛନ୍ତି । ସ୍ମିଥଙ୍କ ପରେ ତାଙ୍କ ସାଥୀ ଖେଳାଳି ଟ୍ରାଭିସ ହେଡ ଏବଂ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶନାକାଙ୍କ ମଧ୍ୟରୁ ଜଣକୁ ସାଇନ୍ କରାଇପାରେ ଗୁଜୁରାଟ ଟାଇଟନ୍ସ ।

ତେବେ ଶନାକାଙ୍କୁ ଦଳରେ ସାମିଲ କରାଗଲେ ହାର୍ଦ୍ଦିକଙ୍କୁ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ସହ ବୋଲିଂରେ ମଧ୍ୟ କମାଲ କରିପାରିବେ । ସେହିପରି ସ୍ମିଥ କିମ୍ବା ଟ୍ରାଭିସ ହେଡ ଦଳରେ ସାମିଲ ହେଲେ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କୁ ପାଇ ଗୁଜୁରାଟ ଦଳ ଆହୁରି ମଜବୁତ ହୋଇପାରିବ । ଏପ୍ରିଲ ୪ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିବ ଗୁଜୁରାଟ । ତେବେ ଏହାପୂର୍ବରୁ କୌଣସି କେଳାଳିଙ୍କୁ ସାମିଲ କରିବ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.