fbpx

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ- ଜୁଲାଇ ୩୧ ସୁଦ୍ଧା ଲାଗୁ କରନ୍ତୁ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ’

ନୂଆଦିଲ୍ଲୀ : କରୋନା ସଙ୍କଟ ଓ ଲକଡାଉନ କାରଣରୁ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ଆଶ୍ଵସ୍ତିଭରା ନିଷ୍ପତ୍ତି ଶୁଣାଇଛନ୍ତି। ଉଚ୍ଚତମ ନ୍ୟାୟାଳୟ ମଙ୍ଗଳବାର ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ’, ଉପରେ ବଡ ନିଷ୍ପତ୍ତି ଦେଇଛନ୍ତି। ଉଚ୍ଚତମ ନ୍ୟାୟାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜୁଲାଇ ୩୧ ସୁଦ୍ଧା ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ’, ବାଧ୍ୟତାମୂଳକ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି କରୋନା ସ୍ଥିତି ରହିବା ଯାଏଁ ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ରାସନ ଯୋଗାଇ ଦେବାକୁ ଅଦାଲତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଲୋକଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନଙ୍କ ପାଇଁ ଯୋଜନା ତିଆରି କରି ରାସନ ଦେବାର ତୁରନ୍ତ ବ୍ୟବସ୍ଥା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ  ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବୈଶ୍ଵିକ ମହାମାରୀ ସ୍ଥିତି ଜାରି ରହିବା ଯାଏଁ ପ୍ରବାସୀ ଶ୍ରମିକଙ୍କ ପାଇଁ ସାମୁଦାୟିକ ରୋଷେଇ ବ୍ୟବସ୍ଥା କରିବାକୁ କହିଛନ୍ତି। ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ଓ ସେମାନଙ୍କୁ ରାସନ କେମିତି ମିଳିବ ତାର ଯୋଜନା ଶୀଘ୍ର ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ୧୯୭୯ର ଆଇନ ଆଧାରରେ ସମସ୍ତ ଠିକାଦାରଙ୍କୁ ପଞ୍ଜୀକୃତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ଅଶୋକ ଭୂଷଣ ଓ ଏମଆର ଶାହାଙ୍କ ପୀଠ ସାମାଜିକ କର୍ମୀଙ୍କ ଆବେଦନ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଖାଦ୍ୟ ସୁରକ୍ଷା, ନଗଦ ରାଶି ଦେବା ଓ ଅନ୍ୟ ଜନ କଲ୍ୟାଣକାରୀ ଯୋଜନା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ କାର୍ଯ୍ୟକର୍ତ୍ତା  ଅଞ୍ଜଳୀ ଭରଦ୍ଵାଜ, ହର୍ଷ ମନ୍ଦର ଓ ଜଗଦୀପ ଛୋକରଙ୍କ ଆବେଦନ ଉପରେ ବିଚାର କରି ଉପରୋକ୍ତ ରାୟ ଦେଇଛନ୍ତି।

Get real time updates directly on you device, subscribe now.