fbpx

ଭୂକମ୍ପରେ ଥରିଲା ତାଇୱାନ: ଗଳି ପଡ଼ିଲା ବ୍ରିଜ୍, ଟ୍ରାକରୁ ଖସିଲା ଟ୍ରେନ

ତାଇପେଇ, : ଦୀର୍ଘ ୩୯ ବର୍ଷ ପରେ ଶନିବାର ବିଳମ୍ବିତ ରାତ୍ରିରେ ତାଇୱାନରେ ଏକ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରହିଥିବା ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଭୂକମ୍ପରେ ତାଇୱାନର ବ୍ୟାପକ କ୍ଷୟକ୍ଷତି ଘଟିଛି । ତାଇୱାନ ଦ୍ୱୀପର ଦକ୍ଷିଣ-ପୂର୍ବାଞ୍ଚଳରେ ଏହି ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିବା ତାଇୱାନ ସରକାରଙ୍କ ପକ୍ଷର ସୂଚନା ଦିଆଯାଇଛି । ଏହା ଫଳରେ ସୁନାମୀ ଆସିବାର ଆଶଙ୍କା ଜାତ ହୋଇଛି । ଭୂକମ୍ପ ଫଳରେ କେଉଁଠି ବ୍ରିଜ୍ ଭାଙ୍ଗି ଗଳିପଡ଼ିଛି ତ ଆଉ କେଉଁଠି ଟ୍ରାକରୁ ଟ୍ରେନ୍ ଲାଇନଚ୍ୟୁତ ହୋଇଛି ।

ସେହିପରି କେତେକ ବିଲ୍ଡିଂ ମଧ୍ୟ ବଙ୍କିଯାଇଥିବା ଦେଖିବାକୁ ମିଳିଛି । ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେବା ସହ ରେଳ ସେବା ବ୍ୟାହତ ହୋଇଛି । କେଉଁଠି ଜୋର୍ ଶବ୍ଦରେ ପାଣିପାଇପ୍ ଫାଟି ଯାଇଛି ତ ଆଉ କେଉଁଠି ବ୍ରିଜ୍ ତଳେ ଶହ ଶହ ଗାଡ଼ି ପୋତି ହୋଇ ରହିଯାଇଛି । ତେବେ ପ୍ରଥମରୁ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ଥିବା କଥା ଘୋଷଣା କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ସଂଶୋଧନ କରାଯାଇ ୬.୯ ବୋଲି କୁହାଯାଇଛି । ଶନିବାର ରାତି ୨ଟା ୪୪ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ଏହାର କେନ୍ଦ୍ରସ୍ଥଳ ତାଇତୁଙ୍ଗ୍ ନଗରୀରର ଉତ୍ତର ଦିଗକୁ ୫୦ କି.ମି. ଦୂର ଭୂଗର୍ଭରେ ୧୦ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିବା ସୂଚନା ଦିଆଯାଇଛି । ତେବେ ଏହି ଭୂକମ୍ପ ଫଳରେ ଓକିନାୱା ଜିଲ୍ଲାର ମିଆଁକୋଜିମା ଏବଂ ୟାଏୟାମା ଅଞ୍ଚଳରେ ୧ ମିଟର ଉଚ୍ଚର ସୁନାମୀ ଆସିବା ନେଇ ଜାପାନ ପାଣିପାଗ ଏଜେନ୍ସି ସତର୍କ କରାଇ ଦେଇଥିଲା । ଫଳରେ ଲୋକମାନେ ଭୟରେ ଉଚ୍ଚସ୍ଥାନକୁ ଚାଲିଯାଇଥିଲେ । ଏହି ଭୂକମ୍ପରେ ତାଇୱାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।

Get real time updates directly on you device, subscribe now.