ଦମଦାର ଫର୍ମ, Man of The Series, ତଥାପି ଦଳରେ ମିଳିଲାନି ସ୍ଥାନ… କାହିଁକି ବାଦ୍ ପଡ଼ିଲେ କୁଳଦୀପ?

ନୂଆଦିଲ୍ଲୀ: ଏସିଆ କପ୍ ଉପରେ ଅକ୍ତିଆର କରିବା ପରେ ବର୍ତ୍ତମାନ ବିଶ୍ୱକପ ଉପରେ ରହିଛି ଟିମ ଇଣ୍ଡିଆର ନଜର । କିନ୍ତୁ ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ଏଥିପାଇଁ ଦଳ ମଧ୍ୟ ଘୋଷଣା ହୋଇସାରିଛି । ଭାରତ ଏହି ସିରିଜ ପାଇଁ ଦୁଇଟି ଦଳ ଘୋଷଣା କରିଥିବା ବେଳେ ପ୍ରଥମ ଦୁଇଟି ଦିନିକିଆରେ ଷ୍ୟାର ସ୍ପିନର କୁଳଦୀପ ଯାଦବଙ୍କୁ ସ୍ଥାନ ଦିଆଯାଇ ନାହିଁ । ବର୍ତ୍ତମାନ କୁଳଦୀପ ଦମଦାର ଫର୍ମରେ ଥିବା ବେଳେ ଏସିଆ କପରେ ‘ପ୍ଲେୟର ଅଫ୍ ଦ ସିରିଜ’ ମଧ୍ୟ ବିବେଚିତ ହୋଇଛନ୍ତି । ଏହାପରେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନାହିଁ । ତେବେ ଏହାର କାରଣ ନେଇ ଉତ୍ତର ରଖିଛନ୍ତି ଅଧିନାୟକ ରୋହିତ ।

ଅଷ୍ଟ୍ରେଲିଆ ବିପକ୍ଷରେ କୁଳଦୀପଙ୍କ ଅନୁପସ୍ତିତିକୁ ନେଇ ରୋହିତ ଦୁଇଟି ମୁଖ୍ୟ କାରଣ କହିଛନ୍ତି । ସେ କହିଛନ୍ତି ଯେ, ଅନେକ ଚିନ୍ତା କରିବା ପରେ କୁଳଦୀପଙ୍କୁ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବ୍ରେକ ଦିଆଯାଇଛି । ବିଶ୍ୱକପରେ କୁଳଦୀପ ଯାଦବ ଭାରତ ପାଇଁ ପ୍ରମୁଖ ଅସ୍ତ୍ର ପାଲଟିବେ । ତେଣୁ ଏହାପୂର୍ବରୁ ଆମେ ତାଙ୍କୁ ଏକ୍ସପୋଜ୍ କରିବାକୁ ଚାହୁଁନୁ ବୋଲି କହିଛନ୍ତି ରୋହିତ । ଏହାବ୍ୟତୀତ ଦୁଇଟି ମ୍ୟାଚରେ ବିଶ୍ରାମ ପରେ ତୃତୀୟ ମ୍ୟାଚରେ ସେ ଦଳକୁ ଫେରୁଛନ୍ତି । ଏହାପରେ ୨ଟି ପ୍ରାକ୍ଟିସ ମ୍ୟାଚ ଖେଳି ସେ ପୁଣିଥରେ ନିଜର ଲୟ ଫେରିପାଇବେ ବୋଲି ଦଳର ଆଶା ରହିଛି । ଏହାପରେ ରୋହିତ କହିଛନ୍ତି ଯେ, କଳଦୀପଙ୍କ ଖୁବ ଭଲ ଫର୍ମରେ ଅଛନ୍ତି । ଗତ ଦେଢ ବର୍ଷରୁ ତାଙ୍କ ଉପରେ ଆମର ନଜର ରହିଛି । ତେବେ ସେ ଶେଷ ମ୍ୟାଚ ପାଇଁ ଦଳକୁ କମବ୍ୟାକ କରିବେ ।

ଏସିଆ କପର ୫ଟି ମ୍ୟାଚରେ ୩.୬ ଇକୋନୋମୀରେ ୯ଟି ୱିକେଟ ହାସଲ କରିଛନ୍ତି କୁଳଦୀପ । ତେବେ ଏ ସମସ୍ତ ୱିକେଟ ସେ ମାତ୍ର ୨ଟି ମ୍ୟାଚରେ ହିଁ ହାସଲ କରିଥିଲେ । ସୁପର-୪ ଷ୍ଟେଜରେ ପାକିସ୍ତାନ ବିପକ୍ଷରେ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ୪ଟି ଶିକାର କରିଥିଲେ କୁଳଦୀପ ଯାଦବ । ଉଭୟ ମ୍ୟାଚରେ ଭାରତ ବିଶାଳ ବିଜୟ ହାସଲ କରିଛି ।

ତେବେ ଅଷ୍ଟ୍ରେଲିଆ ସିରିଜକୁ ନେଇ ରୋହିତ କହିଛନ୍ତି ଯେ, ଏହି ସିରିଜରେ ସୁଯୋଗ ପାଇ ନଥିବା ଖେଳାଳିମାନଙ୍କୁ ପରଖିବା ମୁଖ୍ୟ ଲକ୍ଷ୍ୟ ରହିବ । ବିଶେଷ କରି ସେହିମାନଙ୍କୁ ଦଳରେ ସୁଯୋଗ ମିଳିବା ଉଚିତ ଯେଉଁମାନେ ବିଶ୍ୱକପ ଦଳରେ ସାମିଲ ଥାଇ ମଧ୍ୟ ଏସିଆ କପ୍ ରେ ସୁଯୋଗ ପାଇନାହାନ୍ତି ବା କମ୍ ମ୍ୟାଚ ପାଇଛନ୍ତି । ତେଣୁ ଦୁଇଟି ମ୍ୟାଚରେ ସେମାନଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ଦେବା ପରେ ପୁଣିଥରେ ତୃତୀୟ ମ୍ୟାଚରେ ସିନିୟର ଖେଳାଳି କମବ୍ୟାକ କରିବେ ।