fbpx

(Video) ଯଥା ରାବଣସ୍ୟ ମନ୍ଦୋଦରୀ… କଲେଜ ପଛପଟେ ଲୁଚି ଲୁଚି ବାହା ହୋଇଗଲେ ଛାତ୍ରଛାତ୍ରୀ

ନୟାଗଡ଼: ସ୍କୁଲ ହେଉ କି କଲେଜ, କୁହାଯାଏ ଏସବୁ ଶିକ୍ଷାର ମନ୍ଦିର । ଏଠାରେ ଛାତ୍ରଛାତ୍ରୀ ନିଜର ବିକାଶ କରିବା ପାଇଁ ଏବଂ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ପାଇଁ ଆସିଥାନ୍ତି । କିନ୍ତୁ ଆଜିକାଲି ଏହାର ସଂଜ୍ଞା ସମ୍ପୂର୍ଣ୍ଣ ବଦଳି ଯାଇଛି । ସ୍କୁଲ କଲେଜ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍ଡାସ୍ଥଳୀ ପାଲଟିଯାଇଛି । ଏଠାରେ ପାଠପଢା କମ୍ ଆଉ ଅନ୍ୟାନ୍ୟ ଘଟଣା ଅଧିକ ହେଉଥିବାର ଦେଖାଯାଉଛି । କେବେ ପିଲାମାନେ କଲେଜ ଛାତରେ ଚଢି ରିଲ୍ କରୁଛନ୍ତି ତ କେବେ କଳାପଟାରେ ଏଣୁତେଣୁ ଲେଖି ପକାଇଲେଣି । ଏବେ କଲେ ପରିସରରୁ ଦୁଇ ଛାତ୍ରଛାତ୍ରୀଙ୍କ ବିବାହର ଭିଡିଓ ଦେଖିବାକୁ ମିଳିଛି । ଶଙ୍ଖା, ସିନ୍ଦୁର ଦେଇ ଉଭୟ ଛାତ୍ରଛାତ୍ରୀ ପରସ୍ପରକୁ ବିବାହ କରିଛନ୍ତି ।

ଶିକ୍ଷାର ମନ୍ଦିର ଏବେ କଳୂଷିତ ହେବାରେ ଲାଗିଛି । ପାଠପଢା ନାଁରେ ପିଲାମାନେ ଏଠାକୁ ମନୋରଞ୍ଜନ କରିବାକୁ ଆସୁଛନ୍ତି । ଏଭଳି ବାହାଘର ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ । କିଛିଦିନ ତଳେ +୨ ର ଜଣେ ଛାତ୍ର ଓ ୪ ଜଣ ଛାତ୍ରୀ କଲେଜ ପାଚେରୀ ନିକଟକୁ ଯାଇଥିଲେ । ଛାତ୍ର ଜଣକ ଜଣେ ଛାତ୍ରୀକୁ ସିନ୍ଦୁର ପିନ୍ଧାଇବା ସହ ହାତରେ ଶଙ୍ଖା ପିନ୍ଧାଇ ବିବାହ କରିଛନ୍ତି । ପାଖରେ ୩ ଜଣ ଛାତ୍ରୀ ସେମାନଙ୍କ ବିବାହକୁ ସମର୍ଥନ କରିବା ସହ ଏହାର ଭିଡିଓ କରିଛନ୍ତି । ଏ ନେଇ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ବୟସର ଯଥେଷ୍ଟ ପୂର୍ବରୁ ଉଭୟ ହିନ୍ଦୁ ପରମ୍ପରା ଅନୁସାରେ ପରସ୍ପରଙ୍କୁ ବିବାହ କରି ନେଇଛନ୍ତି । ହୋମ ନିଆଁ, ବାଣ-ରୋଷଣୀ ନଥାଇ ମଧ୍ୟ ସେମାନେ ଶଙ୍ଖା-ସିନ୍ଦୁରରେ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛି ନେଇଛନ୍ତି । ଏହି ଘଟଣା ଏକ ସାଧାରଣ ଘଟଣା ନୁହେଁ, ଏହାକୁ ଗମ୍ଭୀରତାର ସହ ନେବା ଉଚିତ୍, ନଚେତ୍ ପିଲାମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲିଯିବ ।

କଲେଜରେ ଏଭଳି ଘଟଣାକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । କଲେଜ ପଛପଟେ କିଛି ପିଲା ଏଭଳି କାଣ୍ଡ ଘଟାଇଥିବା ବେଳେ ବର୍ତ୍ତମାନ କଲେଜ କର୍ତ୍ତୃପକ୍ଷଙ୍କ ପାଖରେ କଥା ପହଞ୍ଚିଛି । ତେବେ କଲେଜ ଅଧ୍ୟକ୍ଷଙ୍କୁ ଏ ବିଷୟରେ ପଚାରିବାରୁ ସେ ନିଜେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହପାରେ ସେ କହିଥିଲେ ଯେ, ସମସ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ କଲେଜକୁ ଡକାଯାଇଛି । ଅଭିଭାବକଙ୍କ ଉପସ୍ଥିତିରେ ପିଲାମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.