fbpx

ବିଭିନ୍ନ ଜିଲ୍ଲାରୁ ୨୬୨୬ଟି ରେଜିଷ୍ଟ୍ରେସନ ହୋଇଛି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୧୯ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ଭୂତାଣୁ ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନା ସତର୍କତାକୁ ନେଇ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି । ଏହାସହ ଆସନ୍ତାକାଲିଠୁ ଅନ୍ୟ ଧର୍ମ ସ୍ଥଳ ଗୁଡ଼ିକରେ ମଧ୍ୟ ଦର୍ଶନ ଉପରେ କଟକଣା ଲାଗୁ ହୋଇଛି । ସାଂସ୍କୃତିକ ଅନୁଷ୍ଠାନ ଉପରେ କଟକଣା ଲାଗିଛି ।ସେହିପରି ମାଟ୍ରିକ ପରୀକ୍ଷା ମୂଲ୍ୟାୟନକୁ ମଧ୍ୟ ସ୍ଥଗିତ କରାଯାଇଛି ।
ଆଜି ସୁଦ୍ଧା ସାରା ବିଶ୍ୱରେ ୨ଲକ୍ଷ ୧୯ହଜାର ୩୫୧ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଭାରତରେ ୧୭୪ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ୬୧ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୬୦ଟି ନେଗଟିଭ୍ ଓ ୧ପଜିଟିଭ ବାହାରିଛି । ଓଡ଼ିଶାରେ କରୋନା ରେ ଆକ୍ରାନ୍ତ ଥିବା ବ୍ୟକ୍ତି ଜଣକ ଭଲ ଅଛନ୍ତି ।
ଗତ ୨୪ ଘଣ୍ଟାରେ ୧୦୪କୁ ୧୨ ହଜାରରୁ ଅଧିକ କଲ ଆସିଛି । ଏହାସହ ବିଭିନ୍ନ ଜିଲ୍ଳାରୁ ପୋର୍ଟାଲରେ ୨୬୨୬ଟି ରେଜିଷ୍ଟ୍ରେସନ ହୋଇଛି । ୬୭୮୯ ପଞ୍ଚାୟତରେ ଏନେଇ ବୈଠକ ମଧ୍ୟ କରାଯାଇଛି । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଗ୍ରାମାଞ୍ଚଳରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏସଏସପିଡ଼ି ଅଧୀନରେ ୪ମାସର ଭତ୍ତା ଆଗୁଆ ଦିଆଯାଇଛି ।
ସେହିପରି ଜ୍ୱର, କାଶ ହେଲେ ସରକାରୀ କର୍ମଚାରୀ ୧୪ଦିନ ଘରେ ରହିବେ । କରୋନା ସତର୍କତାକୁ ଦୃଷ୍ଟିରେ ରଖି ସେ ପରାମର୍ଶ ଦେଇଛନ୍ତି ଯେ ପୋଖରୀ ପାଣିରେ ଗାଧେଇବାରୁ ଦୂରେଇ ରୁହନ୍ତୁ । ଭିତରକନିକା ଭଳି ଅଭୟାରଣ୍ୟ ଓ ପାର୍କରେ ଭ୍ରମଣ ସ୍ଥଗିତ ଅଛି । କୁକୁଡ଼ା, କୁକୁଡ଼ା ଅଣ୍ଡା ଖାଇବାରେ କୌଣସି ଅସୁବିଧା ନାହିଁ । ପୋଷା କୁକୁର , ବିଲେଇ ଥିଲେ ସେମାନଙ୍କୁ ବାହାରେ ନଛାଡ଼ି ଘରେ ରଖନ୍ତୁ । କରୋନା ନେଇ କିଛି ଜାଣିବାକୁ ଚାହୁଁଥିଲେ ୧୦୪କୁ କଲ କରି ବୁଝନ୍ତୁ । ୧୦୪ କେନ୍ଦ୍ରରେ ପରାମର୍ଶ ପାଇଁ ୧୪ଜଣ ଡାକ୍ତର ନିଯୁକ୍ତ ଅଛନ୍ତି ବୋଲି ସେ କହିଛନ୍ତି ।

ଏହାସହ ବୟସ୍କ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସୁବ୍ରତ ବାଗଚୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଲୋକଙ୍କୁ ବାହାରକୁ ନଛାଡ଼ି ଘରେ ରଖନ୍ତୁ । ଘରେ ଥିଲା ବେଳେ ବୟସ୍କ ଲୋକଙ୍କୁ ନୂଆ ବହି ପଢ଼ିବାକୁ ଦିଅନ୍ତୁ । ସେମାନଙ୍କୁ ବାହାରକୁ ନଛାଡ଼ି ଫୋନରେ ତାଙ୍କ ବନ୍ଧୁଙ୍କ ସହ କଥା କରାଇଦିଅନ୍ତୁ । ନଚେତ ବୟସ୍କଙ୍କ ମନ ପସନ୍ଦର ରୋଷେଇ କରି ଖାଇବାକୁ ଦିଅନ୍ତୁ । ଜେଜେ ମାଆ ଓ ବାପାଙ୍କ ସହ କଥା ହୁଅନ୍ତୁ । ଏକ କୋଠରୀରେ ଏକୁଟିଆ ନଛାଡ଼ି ବୟସ୍କଙ୍କ ସହ କଥା ହୁଅନ୍ତୁ । ଏହାସହ ଟଙ୍କା ଗଣିବା ପରେ ହାତକୁ ୨୦ସେକେଣ୍ଡ ଭଲ ଭାବେ ଧୁଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.