fbpx

ପ୍ରବାସୀଙ୍କ ପାଇଁ ପ୍ରାୟ ୧୨ହଜାର ମେଡ଼ିକାଲ କ୍ୟାମ୍ପ କରାଯାଇଛି: ବାଗଚୀ

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ ବାହାର ରାଜ୍ୟରୁ ପ୍ରବାସୀମାନଙ୍କୁ କାହିଁକି ଫେରିବାକୁ ଦିଆଯାଉଛି ଏନେଇ କିଛି ଲୋକ ପ୍ରଶ୍ନ କରୁଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ଦ୍ୱାରା ସଂକ୍ରମଣ କିିଛି ବଢ଼ିପାରେ ହେଲେ ଏହାକୁ ନେଇ ବିଚଳିତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ବାହାରୁ ଫେରନ୍ତା ଲୋକଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ । ଏହା ମାନବିକତାର କଥା ଏବଂ ବିବେକର କଥା । ଆସନ୍ତା ୪ସପ୍ତାହ କରୋନା ବିରୋଧୀ ଲଢ଼େଇର ଚତୁର୍ଥ ପର୍ଯ୍ୟାୟ । ପ୍ରବାସୀଙ୍କ ପାଇଁ ସବୁ ପଞ୍ଚାୟତରେ ପ୍ରାୟ ୧୨ହଜାର ମେଡ଼ିକାଲ କ୍ୟାମ୍ପ କରାଯାଇଛି । ଏସବୁ କ୍ୟାମ୍ପରେ ପ୍ରାୟ ୫ଲକ୍ଷ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ବାହାର ରାଜ୍ୟରୁ ଆସିଥିଲେ ପ୍ରଥମେ ଟେଷ୍ଟିଂ କରାଯିବା ପରେ ଷ୍ଟାମ୍ପ ଲଗାଯିବ । ସଙ୍ଗରୋଧ କେନ୍ଦ୍ରରେ ସ୍ୱଚ୍ଛତା ଓ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଉଛି । ଏହାସହ ଏକ ରେପିଡ଼ ରେସପନ୍ସ ଟିମ୍ ଗଠନ କରାଯାଇଛି । ସହରାଞ୍ଚଳରେ ହୋମ୍ କ୍ୱାରେଣ୍ଟିନ୍ ପାଇଁ ଅନୁମତି ଅଛି କିନ୍ତୁ ଗ୍ରାମାଞ୍ଚଳରେ ହୋମ୍ କ୍ୱାରେଣ୍ଟିନ୍ ପାଇଁ ଅନୁମତି ନାହିଁ ।
କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ହଜାର ୩୯୧ ରହିଛି । ବର୍ତ୍ତମାନ ୩୩ହଜାର ୫୧୪ ଜଣ ଚିକିତ୍ସାଧୀନ ଥିବା ବେଳେ ୧୪ହଜାର ୧୮୨ଜଣ ଡିସଚାର୍ଜ ହୋଇଛନ୍ତି । ରାଜ୍ୟରେ କରୋନାରେ ୧୮୦ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୧୧୭ ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.