fbpx

ସୁଧାର ହୋମ୍‌ରେ ଯୌନ କେଳେଙ୍କାରୀ ହେଉଥିବା ନେଇ ଗ୍ରାମବାସୀଙ୍କ ସଙ୍ଗିନ ଅଭିଯୋଗ, ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଡେଲାଙ୍ଗ (ଭାସ୍କର ନ୍ୟୁଜ୍‌): ଡେଲାଙ୍ଗ ବ୍ଲକ ଅନର୍ଗତ ଗୁଆଳିଡା ପଞ୍ଚାୟତର ପଞ୍ଚୁପଲା ମୌଜା ୧୫ ନମ୍ବର ୱାର୍ଡରେ ଅବସ୍ଥିତ ଡଂପୁର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆଭା’ ନାଁରେ ପଞ୍ଚୁଲା ଗ୍ରାମବାସୀ ସାଂଘାତିକ ଅଭିଯୋଗ କରିଛନ୍ତି ।ଆଭା ମୁଖ୍ୟ ଫାଟକ ସମ୍ମୁଖରେ ଯାଇଥିବା ମାଛପଡା ମାଇନର କେନାଲ ବନ୍ଧ ଦକ୍ଷିଣ ପାର୍ଶ୍ୱରୁ ୩୦ ଫୁଟ ଜାଗା ବେଆଇନ ଭାବେ ଜବରଦଖଲ କରିବା,ସୁଧାର ଘର ଅନ୍ତେବାସୀଙ୍କୁ ଉପଯୋଗ କରି କେନାଲ ବନ୍ଧ ଉପରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା, ଡଂପୁର ମୌଜାର ଖାତା ନଂ-୩୩୮,ପ୍ଲଟ ନଂ-୮୭୩ ଓ ୮୭୪ରେ ଅବସ୍ଥିତ ୧୧ ଡେସିମିଲି ଗୋଚର ଜମିକୁ ଜବରଦଖଲ କରି କ୍ଲବ ଘର ନିର୍ମାଣ କରିବା ବିରୋଧରେ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶନିବାର ଦିନ ପଞ୍ଚୁଲା ଗ୍ରାମ କମିଟି ସଭାପତି ଆଇନଜୀବୀ ବସନ୍ତ ଦାଶଙ୍କ ନେତୃତ୍ୱରେ ଗୁଆଳିଡା ପଞ୍ଚାୟତ ସମିତି ସଭ୍ୟ ବାସୁଦେବ ଜେନା,୧୫ନଂ ୱାର୍ଡ ସଭ୍ୟା ସ୍ୱପ୍ନାରାଣୀ ସାହୁ,ଅଶୋକ କୁମାର ପରିଡା,ଦାମୋଦର ମୁଦୁଲି,ଗ୍ରାମ୍ୟ କମିଟି ସହ ସମ୍ପାଦକ ହାଡ଼ିବନ୍ଧୁ ସାହୁଙ୍କ ସମେତ ଗ୍ରାମର ଶତାଧିକ ମହିଳା, ପୁରୁଷ ମିଳିତ ହୋଇ ଏଭଳି ବେଆଇନ ଜବର ଦଖଲ କାର୍ଯ୍ୟର ପ୍ରତିବାଦ କରିବା ସହ ସେଠାରେ ଉପସ୍ଥିତ ସ୍ଥାନୀୟ ତହସିଲଦାର ନିବେଦିତା ପରିଡାଙ୍କୁ ଅଭିଯୋଗ କରିଥିଲେ ।ତେବେ ଜଳସେଚନ ବିଭାଗ ଅନୁଧ୍ୟାନ କରିବା ପରେ ମାପଚୁପ କରି ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିବା ସହ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ନ ଦେଇ ତହସିଲଦାର ଘଟଣାସ୍ଥଳରୁ ପଳାଇଯିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।ପରେ ଗ୍ରାମର ମହିଳାମାନେ ଡେଲାଙ୍ଗ- ଇନ୍ଦିପୁର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବାରୁ ଯାତାୟତ ଠପ ହୋଇଯାଇଥିଲା ।

ଖବର ପାଇ ୧୬ ନଂ କେନ୍ଦେଶ୍ୱରୀ ପାଣି ପଞ୍ଚାୟତ ସଭାପତି ତଥା ସମବାୟବିତ ବୈରାଗୀ ଜେନା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ତହସିଲଦାର ନ ଆସିବା ଯାଏଁ ରାସ୍ତାରୋକ ପ୍ରତ୍ୟାହୃତ ହେବ ନାହିଁ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ ।ତେବେ  ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପିଏସଏନ ପାତ୍ର,ଅମିନ ମହମ୍ମଦ ଆଲ୍ଲାଉଦ୍ଦିନ,ସମିତି ସଭ୍ୟ ବାସୁଦେବ ଜେନା,ଆଇନଜୀବୀ ବସନ୍ତ ଦାଶ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ବିବାଦୀୟ ଜାଗା ମାପଚୁ ହୋଇଥିଲା ।ଏଥିରେ ଆଭା କର୍ତ୍ତୃପକ୍ଷ ସ୍ଥଳବିଶେଷରେ ୩୦ରୁ ୪୦ ଫୁଟ ଜାଗା ଜବର ଦଖଲ କରି ବେଆଇନ ଭାବେ ପାଚେରୀ ଓ ଗୃହ ନିର୍ମାଣ କରିଥିବା ଆପାତତ ପ୍ରମାଣ ମିଳିଥିଲା ।ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା,ଆଭାର ଜନୈକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବେଆଇନ ଜବର ଦଖଲରେ ଥିବା କ୍ଲବ ଗୃହ ପରିସର ସନ୍ନିକଟ ମାଛପଡା ମାଇନର କେନାଲ ବନ୍ଧ ମାଟିତଳୁ ପୁଳାପୁଳା ବ୍ୟବହୃତ ଓ ଅବ୍ୟବହୃତ ଗର୍ଭ ନିରୋଧକ କଣ୍ଡୋମ ମିଳିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।ଆଭା ସୁଧାର ଗୃହରେ ଥିବା ମହିଳା ଅନ୍ତେବାସୀଙ୍କୁ ବ୍ୟବହାର କରି ଏଠାରେ ଯୌନ କେଳେଙ୍କାରୀ ହେଉଛି ବୋଲି ଲୋକେ ସଙ୍ଗିନ ଅଭିଯୋଗ କରିଥିଲେ।

ପ୍ରକାଶଯୋଗ୍ୟ ଅତୀତରେ ଆଭା ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଅନ୍ତେବାସୀବାସୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜନୈକ ପଦାଧିକାରୀ ଜେଲ ଯାଇଥିବାବେଳେ ସମ୍ପ୍ରତି ଏହି ମାମଲା ଅଦାଲତରେ ବିଚାରାଧୀନ ଅଛି ।ଏପରିକି ଏଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି ଡେଲାଙ୍ଗ ପଞ୍ଚାୟତ ସମିତି ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ଗୁଆଳିଡା ପଞ୍ଚାୟତ ସମିତି ସଭ୍ୟ ବାସୁଦେବ ଜେନା ଅଭିଯୋଗ କରିଥିଲେ ।ତେବେ ବିବାଦୀୟ ଅନୁଷ୍ଠାନକୁ ସମ୍ପ୍ରତି କଂକ୍ରିଟ ରାସ୍ତା କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ୩ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବାରୁ ଏହାକୁ ନେଇ ବିବାଦର ସୂତ୍ରପାତ ହୋଇଥିବା ଜଣାପଡିଛି ।ଏ ସଂକ୍ରାନ୍ତରେ ଆପୋଷ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପାଣି ପଞ୍ଚାୟତ ସଭାପତି ବୈରାଗୀ ଜେନା ଆଭା ଅନୁଷ୍ଠାନର ସହ ସମ୍ପାଦକ ବାଲୁଙ୍କେଶ୍ୱର ପରିଡାଙ୍କୁ ପ୍ରସ୍ତାବ ଦେଇଥିଲେ ହେଁ ସେ ଏହାକୁ ଏଡାଇ ଦେଇଥିଲେ ।ପରେ ଅତିରିକ୍ତ ତହସିଲଦାର ରଞ୍ଜନକୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ବିବାଦୀୟ ଜାଗାର ସରକାରୀ ମାପଚୁ ପାଇଁ ଗ୍ରାମବାସୀଙ୍କୁ ପ୍ରସ୍ତାବ ଦେବା ସହ ଏଥିରେ ଜବର ଦଖଲ ପ୍ରମାଣିତ ହେଲେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଧାରଣା ଓ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ରିପୋର୍ଟ ପରେ ଉଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ସୂଚନା ମିଳିଥିବାବେଳେ ଯଦି ପ୍ରଶାସନ ଏଭଳି ସଙ୍ଗିନ ଅଭିଯୋଗ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରେ ,ତେବେ ଆଗାମୀ ଦିନରେ ପଞ୍ଚୁପଲା ଗ୍ରାମବାସୀ ଆଇନକୁ ହାତକୁ ନେବା ସହ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମ୍ୟ କମିଟି ସଭାପତି ବସନ୍ତ ଦାଶ ଚେତାବନୀ ଦେଇଛନ୍ତି ।ଡେଲାଙ୍ଗ ଥାନା ଏଏସଆଇ ଯୁଗଳକିଶୋର ଜେନା ସଦଳବଳ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଦାୟିତ୍ୱ ତୁଲାଇଥିଲେ ।

Get real time updates directly on you device, subscribe now.