fbpx

ଆଜି ପବିତ୍ର ସୁନାବେଶ: ମହଣ ମହଣ ସୁନାରେ ସଜେଇ ହେବେ ରଥାରୁଢ ଶ୍ରୀବିଗ୍ରହ

AAKASH

ପୁରୀ,(ଭାସ୍କର ନ୍ୟୁଜ୍‌) : ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଲେ  ମହାବାହୁ । ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନା ବେଶ ନୀତି  ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ରଥ ଉପର ସୁନାବେଶରେ ଠାକୁରେ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ, ମୁଦି, କଣ୍ଠିମାଳା, ମର୍କତ ଜାଉଁଳି, ବଳା, ବାହୁଟି, କାନ୍ତି ଜରକବର କଟି ମେଖଳା ଆଦି ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବେ । ଶ୍ରୀମନ୍ଦିର ରତ୍ନସିଂହାସନରେ ଠାକୁରଙ୍କ କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା (ବିଜୟ ଦଶମୀ)ରେ ସୁନାବେଶ ହୋଇଥାଏ । ଏହାକୁ ସମସ୍ତେ ଦେଖି ପାରୁ ନଥିବା ବେଳେ ରଥ ଉପରେ ଠାକୁରଙ୍କ ସୁନାବେଶ ଦେଖି ବିଶ୍ୱବାସୀ ଅସରନ୍ତି ଆନନ୍ଦ ଲଭକରିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବଡଦାଣ୍ଡ। ଭକ୍ତଙ୍କ ଗହଳିରେ ଉଛୁଳି ଉଠିଛି ଶ୍ରୀକ୍ଷେତ୍ର।

ଶନିବାର ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପୂର୍ବରୁ ଶେଷ ହୋଇଥିଲା । ଶନିବାର ଭୋର୍‌ ୪ଟାରୁ ଆରମ୍ଭ ହୋଇଥିଲା ନୀତିକାନ୍ତି । ଭୋର୍‌ ୪ଟାରେ ମଙ୍ଗଳ ଆଳତୀ, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେତଡ଼ ଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା ଓ ସାଢ଼େ ୫ଟାରେ ଦ୍ୱାରପାଳ ପୂଜା ସହ ବେଶ ସମ୍ପନ୍ନ ହୋଇଥିଲା । ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଶେଷ କରାଯାଇଥିଲା । ତେବେ ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ଗୋଟି ପହଣ୍ଡି । ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ସୁଭଦ୍ରାଙ୍କ ଦେବଦଳନ ରଥରେ ବସାଯାଇଥିଲା ।

ଏହାପରେ ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ସେବାୟତମାନେ ଗୋଟି ପହଣ୍ଡିରେ ଆଣି ତାଳଧ୍ୱଜ ରଥରେ ଶ୍ରୀବଳଭଦ୍ରଙ୍କୁ ବସାଇଥିଲେ । ଏହାପରେ ଧାଡ଼ି ପହଣ୍ଡିରେ ଆସିଥିଲେ ଭଉଣୀ ଦେବୀ ସୁଭଦ୍ରା । ପରେ ପରେ କାଳିଆ ଠାକୁରଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଝୁଲିଝୁଲି ରଥାରୂଢ଼ ହୋଇଥିଲେ । ପହଣ୍ଡି ସମୟରେ ଘଣ୍ଟୁଆମାନଙ୍କ ପାରମ୍ପରିକ ଘଣ୍ଟୁଆ ନାଦ ଭକ୍ତମାନଙ୍କୁ ବିମୋହିତ କରିଥିଲା । ଏହାପରେ ଅପରାହ୍ଣ ୩ଟାରୁ ରଥଟଣା ଆରମ୍ଭ ହୋଇଥିଲା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଉଛୁଳି ପଡ଼ିଥିଲା । ହରିବୋଲ ହୁଳହୁଳି ଧ୍ୱନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା । ଘଣ୍ଟ, ଘଣ୍ଟା ଓ କାହାଳୀ ନାଦରେ ଭକ୍ତମାନେ ନିଜକୁ ହଜାଇ ଦେଇଥିଲେ । ରଥ ଉପରେ ରଥାରୂଢ଼ ଠାକୁରମାନଙ୍କୁ ଦେଖି ଶ୍ରଦ୍ଧାଳୁମାନେ କୃତକୃତ୍ୟ ହୋଇ ଉଠିଥିଲେ ।

ଗତ ୨ ବର୍ଷ ହେବ କରୋନା ସଂକ୍ରମଣ ପାଇଁ ରଥଯାତ୍ରା ସମ୍ପୂର୍ଣ୍ଣ ଭାବେ ଭକ୍ତମାନଙ୍କ ନିମନ୍ତେ ନିଷିଦ୍ଧ କରାଯାଇଥିବାବେଳେ ଚଳିତ ବର୍ଷ ମହାପ୍ରଭୁଙ୍କୁ ପାଖରେ ପାଇ ଭକ୍ତମାନେ ନିଜକୁ କୃତକୃତ୍ୟ ମନେ କରିଥିଲେ । କିଏ କାଳିଆ ଠାକୁରଙ୍କୁ ଦେଖି ଆଖିରୁ ଲୁହ ଗଡ଼ାଇ ପକାଉଥିଲା ତ ଆଉ କିଏ ଭାବରେ ବିମୋହିତ ହୋଇ ‘ତତେ ସମର୍ପି ଦେଇଛି’ ବୋଲି କହୁଥିଲେ । ଏପରିକି ରୁଷୀୟା, ୟୁକ୍ରେନ୍‌ ଓ ଅନ୍ୟ ରାଷ୍ଟ୍ରମାନଙ୍କରୁ ଆସିଥିବା ବିଦେଶୀ ଭକ୍ତମାନେ ମହାପ୍ରଭୁଙ୍କ ଏହି ଲୀଳା ଦେଖି ନିଜକୁ ଧନ୍ୟ ମନେ କରୁଥିଲେ । ବାହୁଡ଼ା ନୀତି ସହଳ ଶେଷ କରିବା ପାଇଁ ପୂର୍ବରୁ ଜିଲ୍ଲାପାଳ ସମର୍ଥ ବର୍ମା ସେବାୟତ ନିଯୋଗ ସହ ଆଲୋଚନା କରିଥିଲେ ଯାହାକି ସଫଳତା ହାସଲ କରିଥିବା କୁହାଯାଉଛି । ପୂର୍ବରୁ କୌଣସି ରଥଯାତ୍ରାରେ ଏଭଳି ସହଳ ନୀତି ଦେଖାଦେଇନଥିଲା । ଶରଧା ବାଲିରୁ ବଡ଼ଦାଣ୍ଡ ଯାଏଁ ଭକ୍ତମାନେ ଗହଳି ଲଗାଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଅନ୍ୟପକ୍ଷରେ ରବିବାର ରଥ ଉପରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହେବ । ଏଥିନେଇ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ସୁନାବେଶପାଇଁ ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି । ଏଥର ରଥ ଉପରେ ସେବାୟତମାନେ ରହିାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । କେବଳ କର୍ତ୍ତବ୍ୟରତ ସେବାୟତଙ୍କୁ ଛାଡ଼ିଦେଲେ ଅନ୍ୟ କାହାକୁ ରଥ ଉପରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ପୋଲିସ ତଳେ ଆଣି ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାରଣ ରଥ ଉପରେ ସେବାୟତମାନେ ଭିଡ଼ କରୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଭଲ ଭାବେ ଦେଖିାରୁ ନଥିବା ଅଭିଯୋଗ ହୋଇଆସୁଥିଲା । ତେଣୁ ଚଳିତ ବର୍ଷ ଏହି ନୂଆ ନିୟମ ଲାଗୁ କରଯାଇଛି ।

Get real time updates directly on you device, subscribe now.