fbpx
BJD SKY
BJD SKY

Sunrisers Hyderbadର ବଡ଼ ନିଷ୍ପତ୍ତି: ଏହି ଖେଳାଳିଙ୍କୁ ମିଳିପାରେ ଅଧିନାୟକ ପଦ

BJD

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ବିଗୁଲ ବାଜି ସାରିଛି । ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏହି ଟୁର୍ଣ୍ଣାମେଣ୍ଟ । ଏହା ଭିତରେ ପୂର୍ବତନ ଚମ୍ପିଆନ୍ ସନରାଇଜର୍ସ ହାଇଦ୍ରାବାଦ ଶିବିରରୁ ଏକ ବଡ଼ ଖବର ସାମନାକୁ ଆସିଛି । ୨୦୨୪ ସିଜନ ପାଇଁ ହାଇଦ୍ରାବାଦ ଦଳର ଅଧିନାୟକ ପରିବର୍ତ୍ତନ କରିପାରେ ବୋଲି ଅନୁମାନ କରାଯାଉଛି । ଏଡେନ୍ ମାର୍କରମଙ୍କ ସ୍ଥାନରେ ଆଉ ଜଣେ ନୂଆ ଅଧିନାୟକ ବାଛିପାରେ ସନରାଇଜର୍ସ ହାଇଦ୍ରାବାଦ୍ । ଆଇପିଏଲ-୨୦୨୪ ପାଇଁ ପ୍ୟାଟ କମିନ୍ସ ଦଳର ନୂଆ ଅଧିନାୟକ ଭାବରେ ଦାୟିତ୍ୱ ନେଇପାରନ୍ତି ।

ରିପୋର୍ଟ ଅନୁସାରେ, ପ୍ୟାଟ୍ କମିନ୍ସଙ୍କୁ ଦଳର ନେତୃତ୍ୱ ହସ୍ତାନ୍ତର କରିପାରେ ପୂର୍ବତନ ଚମ୍ପିଆନ୍ ଦଳ ସନରାଇଜର୍ସ ହାଇଦ୍ରାବାଦ । ଗତ କିଛି ବର୍ଷରୁ ଦଳ ବିଶେଷ ପ୍ରଦର୍ଶନ କରିବାରେ ଅସମର୍ଥ ରହିଛି । ତେଣୁ ଟିମ୍ ମ୍ୟାନେଜମେଣ୍ଟ ନୂଆ ଅଧିନାୟକଙ୍କ ସହ ଏହି ସିଜନ ଖେଳିବା ପାଇଁ ଯୋଜନା କରୁଛି । ତେଣୁ ମାର୍କରମଙ୍କ ସ୍ଥାନରେ ପ୍ୟାଟ କମିନ୍ସ ନୂଆ ଅଧିନାୟକ ଭାବରେ ଦାୟିତ୍ୱ ନେଇପାରନ୍ତି । ଆଇପିଏଲ-୨୦୨୩ ରେ ଏଡେନ୍ ମାର୍କରମ୍ ଦଳର ନେତୃତ୍ୱ ନେଇଥିବା ବେଳେ ସମ୍ପୂର୍ଣ୍ଣ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ । ୧୨ଟି ମ୍ୟାଚରୁ ମାତ୍ର ୨୩୫ ରନ୍ କରିବାରେ ସକ୍ଷମ ହୋଇଥିଲେ ମାର୍କରମ୍ । କିନ୍ତୁ ୨୦୨୩-୨୪ ସାଉଥ ଆଫ୍ରିକା ଟି-୨୦ ଲିଗରେ ଏଡେନ୍ ମାର୍କରମ୍ ସନରାଇଜର୍ସ କେପଟାଉନକୁ ଚମ୍ପିଆନ୍ କରାଇଛନ୍ତି ।

ତେବେ ଆଇପିଏଲ ଅକ୍ସନ-୨୦୨୪ ରେ ୨୦ କୋଟି ୫୦ ଲକ୍ଷ ଟଙ୍କାରେ ପ୍ୟାଟ୍ କମିନ୍ସଙ୍କୁ ଦଳରେ ସାମିଲ କରିଛି ସନରାଇଜର୍ସ ହାଇଦ୍ରାବାଦ । ଏହା ପୂର୍ବରୁ ଆଇପିଏଲ ଇତିହାସରେ କୌଣସି ଖେଳାଳି ୨୦ କୋଟି ଟଙ୍କା ଛୁଇଁ ପାରିବେ ନାହିଁ। ପ୍ୟାଟ୍ କମିନ୍ସଙ୍କ ସାଥୀ ଟ୍ରାଭିସ୍ ହେଡ୍ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ଶିବିରରେ ଯୋଗ ଦେଇଛନ୍ତି। ଟ୍ରାଭିସ୍ ହେଡଙ୍କୁ ଦଳରେ ସାମିଲ କରିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଶେଷରେ ହାଇଦ୍ରାବାଦ ଟିମ୍ ମ୍ୟାନେଜମେଣ୍ଟ ଟ୍ରାଭିସ୍ ହେଡକୁ ୬ କୋଟି ୮୦ ଲକ୍ଷ ଟଙ୍କାରେ କିଣିଛି।

Get real time updates directly on you device, subscribe now.