fbpx

ପଗଡିର ତୂଳନା ହିଜାବ ସହ କରାଯାଇ ପାରିବ ନାହିଁ, ଏମିତି କାହିଁକି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଗଡି ହିଜାବର ବରାବର ନୁହେଁ ଏବଂ ଏହା ଧାର୍ମିକ ନୁହେଁ। ଏହାର ତୂଳନା ହିଜାବ ସହ କରାଯାଇ ପାରିବ ନାହିଁ। ହିଜାବ ବିବାଦ ଉପରେ ଶୁଣାଣି ସମୟରେ ଏହା କହିଛନ୍ତି ସୁପ୍ରିମକୋର୍ଟ। ବିଚାରପତି ହେମନ୍ତ ଗୁପ୍ତା ଏବଂ ବିଚାରପତି ସୁଧାଂଶୁ ଧୂଲିଆଙ୍କ ପୀଠ ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ନିଷ୍ପତ୍ତି ବିରୋଧରେ ଆଗତ ଯାଚିକା ଉପରେ ଶୁଣାଣି କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ମାର୍ଚ୍ଚ ୧୫ରେ ରାଜ୍ୟର ସ୍କୁଲ ଏବଂ କଲେଜରେ ହିଜାବ ପିନ୍ଧିବା ଉପରେ କଟକଣା ଲଗାଇଥିଲେ।
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ଧାଓ୍ଵନ କହିଛନ୍ତି ସୁପ୍ରିମକୋର୍ଟରେ ଜଣେ ଜଜ୍ ଥିଲେ, ଯିଏ ତିଳକ ଲଗାଉଥିଲେ ଏବଂ ପଗଡି ପିନ୍ଧୁଥିଲେ। କୋର୍ଟ ନମ୍ବର-୨ରେ ଏକ ଫଟୋ ମଧ୍ୟ ଲାଗିଛି, ଯେଉଁଥିରେ ଜଜଙ୍କୁ ପଗଡି ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ପ୍ରଶ୍ନ କରିଛନ୍ତି ଯେ, କଣ ମହିଳାଙ୍କୁ ଡ୍ରେସ୍ କୋଡର ପାଳନ କରିବା ଉଚିତ୍ ଯାହା ସରକାର ନିର୍ଦ୍ଧାରିତ କରିଛନ୍ତି। କଣ ହିଜାବ ଇସଲାମ ଧର୍ମର ଅନନ୍ୟ ଧାର୍ମିକ ପ୍ରର୍ଥା କି ? ୟୁନିଫର୍ମ ନିର୍ଦ୍ଧାରଣ କରିବାର ଶକ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇନଥିଲା। ଯଦି କୌଣସି ବ୍ୟକ୍ତି ୟୁନିଫର୍ମ ଉପରେ ଅତିରିକ୍ତ ପୋଷାକ ପିନ୍ଧୁଛି ତେବେ ଏହା ୟୁନିଫର୍ମର ଉଲ୍ଲଂଘନ ନୁହେଁ।

ଏହା ଉପରେ ବିଚାରପତି ହେମନ୍ତ ଗୁପ୍ତା କହିଛନ୍ତି, ପଗଡି ହିଜବାର ବରାବର ନୁହେଁ ଏବଂ ଏହା ଧାର୍ମିକ ଅଂଶ ବି ନୁହେଁ। ଏହାର ତୂଳନା ହିଜାବ ସହ କରାଯାଇ ପାରିବ ନାହିଁ। ଏହା ରାଜାରାଜୁଆଡ ରାଜ୍ୟରେ ପିନ୍ଧା ଯାଉଥିଲା। ମୋର ଜେଜେ ବାପା ମଧ୍ୟ ଆଇନର ପ୍ରାକ୍ଟିସ ସମୟରେ ପଗଡି ପିନ୍ଧୁଥିଲେ। ଏହାର ତୂଳନା ହିଜାବ ସହ କରନ୍ତୁ ନାହିଁ। ସ୍କାର୍ଫ ପିନ୍ଧିବା ଏକ ଆବଶ୍ୟକୀୟ ପ୍ରଥା ହୋଇପାରେ କି ନାହିଁ ଏହି ପ୍ରଶ୍ନ କରାଯାଇ ପାରିବ।
କଣ ସ୍କୁଲରେ ଧର୍ମ ପାଳନର ଅଧିକାର ରହିଛି ?

ଆବେଦନକାରୀଙ୍କ ପକ୍ଷରୁ ତର୍କ ଦିଆଯାଇଛି ଯେ, ହିଜାବ କଟକଣାରେ ମହିଳା ଶିକ୍ଷାରୁ ବଞ୍ଚିତ ହୋଇ ପାରନ୍ତି। ଏହା ଉପରେ ପୀଠ କହିଛନ୍ତି, ରାଜ୍ୟ ସରକାର କାହାରି ଅଧିକାରକୁ ତ ମନା କରୁ ନାହାନ୍ତି। ରାଜ୍ୟ କହୁଛି ଯେ, ଆପଣ ୟୁନିଫର୍ମ ପିନ୍ଧିକି ଆସନ୍ତୁ, ଯାହା ବିଦ୍ୟାର୍ଥୀଙ୍କ ପାଇଁ ସ୍ଥିରିକୃତ। କୌଣସି ବ୍ୟକ୍ତିଙ୍କୁ ନିଜର ଧର୍ମ ପାଳିବାର ଅଧିକାର ରହିଛି। ତେବେ ପ୍ରଶ୍ନ ଏହା ଯେ, କଣ ଏହି ଅଧିକାର ୟୁନିଫର୍ମ ନିଦ୍ଧାରିତ ଥିବା ଶିକ୍ଷାନୁଷ୍ଠାନରେ ଲାଗୁ ହୋଇ ପାରିବ କି ? କଣ କୌଣସି ବିଦ୍ୟାର୍ଥୀ ସେହି ସ୍କୁଲରେ ହିଜାବ ପିନ୍ଧି ପାରିବେ କି, ଯେଉଁଠି ଡ୍ରେସ୍ କୋଡ୍ ରହିଛି।

ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜନ କହିଛନ୍ତି, ଏହି ପ୍ରସଙ୍ଗ ବହୁତ ସୀମିତ ଏବଂ ଏହା ଶିକ୍ଷାନୁଷ୍ଠାନରେ ଅନୁଶାସନ ସହ ସମ୍ବନ୍ଧିତ। ଏହା ଉପରେ ଅଦାଲତ କହିଛନ୍ତି, ଯଦି କୌଣସି ଛାତ୍ରୀ ହିଜାବ ପିନ୍ଧି ଆସୁଛନ୍ତି, ତେବେ ଏହାକୁ କେମିତି ସ୍କୁଲର ଅନୁଶାସନର ଉଲ୍ଲଂଘନ ବୋଲି କହି ପାରିବା। ଜବାରରେ ଅତିରିକ୍ତ ସଲିସିଟର ଜେନେରାଲ କହିଛନ୍ତି, ନିଜର ଧାର୍ମିକ ପ୍ରଥା କିମ୍ବାା ଧାର୍ମିକ ଅଧିକାରରେ ଅଢୁଆଳରେ କେହି କହି ପାରିବେ ନାହିଁ ଯେ, ମୁଁ ଏହା କରିବାକୁ ହକଦାର। ଏଥିପାଇଁ ମୁଁ ହିଜାବ ପିନ୍ଧିବାକୁ ଶିକ୍ଷାନୁଷ୍ଠାନର ନିୟମର ଉଲ୍ଲଂଘନ ମାନୁଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଅଦାଲତ ଶୁଣାଣିକୁ ବୁଧବାର ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି।

Get real time updates directly on you device, subscribe now.