fbpx

ଦେହ ବ୍ୟବସାୟକୁ ବୈଧ୍ୟ ମାନିଲେ ସୁପ୍ରିମକୋର୍ଟ, କହିଲେ- ତାଙ୍କ କାମରେ ହସ୍ତକ୍ଷେପ ନକରୁ ପୋଲିସ

ନୂଆଦିଲ୍ଲୀ: ଦେହ ବ୍ୟବସାୟ ବୈଧ୍ୟ ଅଟେ। ତେଣୁ ଦେହଜୀବୀଙ୍କ କାମରେ ହସ୍ତକ୍ଷେପ ନକରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ନିଜ ପୋଲିସକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ଦେହଜୀବୀଙ୍କ କାମକୁ ପେଶାଦାର ବିବେଚନା କରି କହିଛନ୍ତି, ପୋଲିସକୁ ସାବାଳିକା ଏବଂ ସହମତିରେ ଦେହ ବ୍ୟବସାୟ କାମ କରୁଥିବା ମହିଳାଙ୍କ ଉପରେ ଅପରାଧିକ କାର‌୍ୟ୍ୟାନୁଷ୍ଠାନ ନେବା ଉଚିତ୍ ନୁହେଁ।

ସୁପ୍ରିମକୋର୍ଟ କହିଛନ୍ତି, ଦେହଜୀବୀ ମଧ୍ୟ ଆଇନ ଅନୁସାରେ ଗରିମା ଏବଂ ସମାନ ସୁରକ୍ଷା ପାଇବାର ହକଦାର। ବିଚାରପତି ଏଲ ନାଗେଶ୍ଵର ରାଓ, ବିଆର ଗବଇ ଏବଂ ଏଏସ ବୋପାନ୍ନାଙ୍କ ଖଣ୍ଡପୀଠ ଦେହଜୀବୀଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ଛଅ ନିର୍ଦ୍ଦେଶ ଜାରି କରିଛନ୍ତି। ଦେହଜୀବୀ ମଧ୍ୟ ଆଇନର ସବୁ ପ୍ରକାରର ସୁବିଧା ପାଇବାକୁ ହଦକାର ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।

କୋର୍ଟ କହିଛନ୍ତି, ଯେବେ ଏହା ସ୍ପଷ୍ଟ ଜଣା ପଡ଼ୁଛି ଯେ, ଦେହଜୀବୀ ସାବାଳିକା ଏବଂ ନିଜ ସହମତିରେ ଏହି କାମ କରୁଛନ୍ତି, ତେବେ ପୋଲିସଙ୍କୁ ସେମାନଙ୍କ କାମରେ ହସ୍ତକ୍ଷେପ କରିବା କିମ୍ବା ଅପରାଧିକ କାର‌୍ୟ୍ୟାନୁଷ୍ଠାନ ନେବା ଉଚିତ୍ ନୁହେଁ। ଏହି ଦେଶରେ ପ୍ରତ୍ୟେକ ନାଗରିକଙ୍କୁ ସମ୍ବିଧାନର ଅନୁଚ୍ଛେଦ ୨୧ ଆଧାରରେ ସମ୍ମାନଜନକ ଜୀବନ ଜିଇଁବାର ଅଧିକାର ରହିଛି। ସୁପ୍ରିମକୋର୍ଟ ବଡ ଆଦେଶ ଦେଇଛନ୍ତି ଯେତବେଳେ ପୋଲିସ ଚଢାଉ କରିବ ତେବେ ଦେହଜୀବୀଙ୍କୁ ଗିରଫ କିମ୍ବା ହଇରାଣ କରିବ ନାହିଁ। କାରଣ ସ୍ଵଇଚ୍ଛାରେ ଦେହ ବ୍ୟବସାୟରେ ସାମିଲ୍ ହେବା ବେଆଇନ ନୁହେଁ। କେବଳ ବେଶ୍ୟାଳୟ ଚଲାଇବା ବେଆଇନ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

କୋର୍ଟ ଏହା ମଧ୍ୟ କହିଛନ୍ତି, ଜଣେ ମହିଳା ଦେହଜୀବୀ ହୋଇଥିବା କାରଣରୁ ପିଲାଙ୍କୁ ମାଠୁ ଅଲଗା କରାଯିବା ଉଚିତ୍ ନୁହେଁ। ମୌଳିକ ସୁରକ୍ଷା ଏବଂ ସମ୍ମାନଜନକ ଜୀବନ ଅତିବାହିତ କରିବାର ଅଧିକାର ଦେହଜୀବୀ ଏବଂ ତାଙ୍କ ପିଲାଙ୍କର ରହିଛି। ଯଦି ନାବାଳିକାକୁ ବେଶାଳୟରେ ଦେଖିବାକୁ ମିଳେ କିମ୍ବା ଦେହଜୀବୀଙ୍କ ସହ ରହୁଥିବା ଦେଖିବାକୁ ମିଳେ ତେବେ ଏହା ବିବେଚନା କରାଯିବ ନାହିଁ ଯେ, ପିଲାକୁ ତସ୍କରି କରି ଅଣାଯାଇଛି।

Get real time updates directly on you device, subscribe now.