fbpx

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୫ ତାରିଖରେ ପଞ୍ଜାବର ଫିରୋଜପୁର ରାଲିରେ ଯୋଗଦେବାକୁ ଯାଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍ ପ୍ରାୟ ୨୦ ମିନିଟ୍ ଧରି ରାସ୍ତାରେ ଅଟକିଥିଲା । ଏହାପରେ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ତୁମ୍ବିତୋଫାନ୍ ଦେଖିବାକୁ ମିଳିଥିଲା । ତେବେ ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବା ବେଳେ ଏକ ନୂଆ ଅପଡେଟ୍ ଆସିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ମୁଖ୍ୟ ରହିବେ । ଏଥିସହ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ, ଚଣ୍ଡିଗଡ଼ ଡିଜିପି, ପଞ୍ଜାବ ଏଡିଜିପି, ଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ, ଏନଆଇଏର ଆଇଜି ପ୍ରମୁଖ ସଦସ୍ୟ ରହିବେ ।

ତେବେ ଆଜିର ଶୁଣାଣି ବେଳେ ପଞ୍ଜାବ ସରକାର ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ । ମାତ୍ର ବର୍ତ୍ତମାନ ରାଜ୍ୟର ଅଧିକାରୀଙ୍କ ଉପରେ ଅଯଥାରେ ଆରୋପ ନ ଲଗାଯାଉ ବୋଲି ମଧ୍ୟ ପକ୍ଷ ରଖାଯାଇଥିଲା । ଶୁଣାଣି ବେଳେ ସୁପ୍ରିମ କୋର୍ଟ ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି ନା ନାହିଁ ଯଦି ଜାଣି ନାହିଁ ତେବେ କୋର୍ଟକୁ କାହିଁକି ଆସିଛ? ଏହି ମାମଲାରେ ଏସପିଜି ଓ ବ୍ଲୁ ବୁକର ଉଲ୍ଲଂଘନ ହୋଇଥିବା କୋର୍ଟ କହିଥିଲେ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରୁ କଡ଼ା ନିନ୍ଦା କରାଯାଇଥିଲା । ଘଟଣା ଘଟିବାର ୧୮ ଘଣ୍ଟା ପରେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାୟରକୁ ନେଇ ପଞ୍ଜାବ ପୋଲିସ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏପରିକି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକି ଥିବା ବେଳେ କିଛି ପୋଲିସ ଅଧିକାରୀ ରାସ୍ତାରେ ବିକ୍ଷୋଭକାରୀଙ୍କ ସହ ମିଶି ଚା’ ପିଉଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ତେବେ ଗତ ୭ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣ ଏହି ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ଆଜି ପାଇଁ ସ୍ଥଗିତ ରଖିଥିଲେ ।

Get real time updates directly on you device, subscribe now.