ଟିଭି ବିତର୍କରେ ଉପସ୍ଥାପନ କରାଯାଉଛି ପ୍ରମାଣ: କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ, ମିଡିଆ ଓ ପୋଲିସକୁ କଡା ଚେତାବନୀ

ନୂଆଦିଲ୍ଲୀ: ଟିଭି ଚ୍ୟାନେଲଗୁଡିକରେ ବଡ ବଡ ସମ୍ବେଦନଶୀଳ ମାମଲାରେ ବିତର୍କ ହୋଇଥାଏ। ଆଉ ଚ୍ୟାନେଲ ଠୋସ୍ ପ୍ରମାଣ ଦେଖାଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରିଥାନ୍ତି। ତେବେ ଅପରାଧିକ ମାମଲାରେ ପ୍ରମାଣକୁ ଟିଭି ଚ୍ୟାନେଲରେ ଉପସ୍ଥାପନ କରାଯିବା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଉଚ୍ଚତମ ନ୍ୟାୟାଳୟ ମିଡିଆ ଏବଂ ପୋଲିସ ପ୍ରଶାସନକୁ ଏ ନେଇ କଡା ଚେତାବନୀ ମଧ୍ୟ ଦେଇଛନ୍ତି। ଅଦାଲତ କହିଛନ୍ତି ଏହି ପରି କାମ ସଂପୂର୍ଣ୍ଣ ଭାବେ ନ୍ୟାୟିକ ପ୍ରକ୍ରିୟାର ଉଲ୍ଲଂଘନ। ଏହାକୁ ବରଦାସ୍ତ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟ ଏହି ଟିପ୍ପଣୀ କର୍ଣ୍ଣାଟକରେ ୧୯୯୯ରେ ଘଟିଥିବା ଏକ ଡକାୟତି ମାମଲାରେ ଶୁଣାଣି ସମୟରେ କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଗଣମାଧ୍ୟମ ଏବଂ ପୋଲିସ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। କୋର୍ଟ କହିଛନ୍ତି, ଯେ କୌଣସି ଅପରାଧିକ ମାମଲାର ତଥ୍ୟ ପ୍ରମାଣ ଏହି ପରି ଭାବେ ଟିଭି ଚ୍ୟାନେଲ ଗୁଡିକରେ ଉପସ୍ଥାପନ କରାଯିବା ସଂପୂର୍ଣ୍ଣ ଭୁଲ୍ କାମ। ଏହାକୁ ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ ଭାବେ ବିବେଚନା କରାଯିବ। ହିନ୍ଦୁସ୍ତାନ ଟାଇମ୍ସର ଖବର ଅନୁଯାୟୀ, ମଙ୍ଗଳବାର ୧୯୯୯ରେ ବେଙ୍ଗାଲୁରୁରେ ଏକ ଡକାୟତି ମାମଲାରେ ପ୍ରମାଣ ଅଭାବରୁ ଚାରି ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। କିନ୍ତୁ ଟ୍ରାଏଲ କୋର୍ଟରେ ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ପରେ ହାଇକୋର୍ଟ ଏହି ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇ ଦେଇଥିଲେ।

ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କ ରେକର୍ଡକୁ ଡିଭିଡିରେ ରେକର୍ଡ କରିଥିଲା। ହେଲେ ଏହି ଡିଭିଡି ଗଣମାଧ୍ୟମ ହାତରେ ଲାଗିଥିଲା। ପରବର୍ତ୍ତୀ ସମୟରେ ଗଣମାଧ୍ୟମ ଏହାକୁ ନିଜ ବିତର୍କ କାର୍ଯ୍ୟକ୍ରମରେ ଉପସ୍ଥାପନ କରିଥିଲେ। ସୁପ୍ରିମକୋର୍ଟରେ ୟୁୟୁ ଲଳିତ ଏବଂ ପିଏସ ନରସିମାହଙ୍କ ଖଣ୍ଡପୀଠ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଡିଭିଡି ଗଣମାଧ୍ୟମ ହାତକୁ ଯିବା ଆଉ କିଛି ନୁହେଁ ବରଂ କର୍ତ୍ତବ୍ୟରେ ଅବହେଳା ଏବଂ ନ୍ୟାୟ ପ୍ରଣାଳୀରେ ହସ୍ତକ୍ଷେପ ବୋଲି ପୀଠ କହିଛନ୍ତି।