fbpx
BJD SKY
BJD SKY

ପୀଡିତାଙ୍କୁ ସୁପ୍ରିମକୋର୍ଟ ବିଚାରପତିଙ୍କ ପ୍ରଶ୍ନ- ରାତି ୮ଟାରେ ଭେଟିବାକୁ କ’ଣ ପାଇଁ ହୋଟେଲ ଯାଇଥିଲେ ?

BJD

ନୂଆଦିଲ୍ଲୀ : ପୀଡିତା ରାତି ୮ଟାରେ ଭେଟିବାକୁ କଣ ପାଇଁ ହୋଟେଲ ଯାଇଥିଲେ ? ଏହା କହି ସୁପ୍ରିମକୋର୍ଟ ସେନାର ଜଣେ ଯବାନଙ୍କୁ ଗିରଫଦାରୀରୁ ଆଶ୍ୱସ୍ତି ଦେଇଛନ୍ତି । ଯବାନ ସଂପ୍ରତି ଜାମ୍ମୁ-କାଶ୍ମୀରରେ ମୁତୟନ ଅଛନ୍ତି । ଯବାନଙ୍କ ଦ୍ୱାରା ଆଗୁଆ ଜାମିନ ପାଇଁ ଦାଖଲ ଆବେଦନ ଉପରେ ଉଚ୍ଚ ନ୍ୟାୟାଳୟ ଶୁଣାଣି କରି ଯବାନଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ।

ବିଚାରପତି ବିନୀତ ଶରଣ ଓ ବିଚାରପତି ବିଆର ଗବଇଙ୍କ ପୀଠ ଆବେଦନର ଶୁଣାଣି ବେଳେ ଜାଣିବାକୁ ପାଇଛନ୍ତି ଯେ, ଆରୋପୀ ଓ ଅଭିଯୋଗକାରୀଙ୍କ ମଧ୍ୟରେ ପୂର୍ବରୁ ସଂପର୍କ ଥିଲା । ପରସ୍ପରକୁ ଉଭୟ ବେଶ ଭଲ ଭାବେ ଜାଣିଥିଲେ ଏବଂ ସମ୍ବନ୍ଧରେ ଥିଲେ । ପୀଠ ପୀଡିତାଙ୍କ ଓକିଲଙ୍କୁ ପ୍ରଶ୍ନ କରିଛନ୍ତି ଯେ, ରାତି ୮ଟାରେ ପୀଡିତା ଆରୋପୀଙ୍କୁ ଭେଟିବାକୁ କଣ ପାଇଁ ହୋଟେଲ ଯାଇଥିଲେ ?

ଏହା ଉପରେ ଓକିଲ କହିଛନ୍ତି ଯେ, ଉଭୟ ପରସ୍ପରକୁ ଜାଣିଥିଲେ । ସେ ଦାବି କରିଛନ୍ତି, ହୋଟେଲରେ ଚାରେ ନିଶା ପଦାର୍ଥ ମିଶାଇ ପୀଡିତାଙ୍କୁ ପିଇବାକୁ ଦିଆଯାଇଥିଲା । ଏହା ପରେ ଦୁଷ୍କର୍ମ କରାଯାଇଥିଲା । ଆରୋପୀଙ୍କ ଆଗୁଆ ଜାମିନ ଆବେଦନକୁ ବିରୋଧ କରି ପୀଡିତାଙ୍କ ଓକିଲ କହିଛନ୍ତି, ତାଙ୍କ ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖା ଯାଇଥିଲା ।

ଯବାନଙ୍କ ପକ୍ଷରୁ ହାଜର ଓକିଲ ସୁମିତ ସିହ୍ନା କହିଛନ୍ତି, ଯବାନ ଓ ଯୁବତୀ ପରସ୍ପରର ସହମତିରେ ସମ୍ବନ୍ଧ ରଖିଥିଲେ । ଦୁହେଁ ପରସ୍ପରକୁ ୨୦୧୭ରୁ ଜାଣିଥିଲେ । ପୀଡିତା ପକ୍ଷଙ୍କ କହିବା କଥା ତାଙ୍କ ସଂପର୍କ ତେବେ ବିଗିଡିବା ଆରମ୍ଭ ହେଲା ଯେବେ ଯୁବତୀଙ୍କ ବାପା-ମା ବିବାହ କଥା ଉଠାଇଥିଲେ ।

ଏହା ପରେ ପୀଡିତାଙ୍କ ପକ୍ଷରୁ ଏଫଆଇଆର ରୁଜୁ କରାଯାଇ ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଅଣା ଯାଇଥିଲା । ଯବାନଙ୍କ ଓକିଲ କହିଛନ୍ତି, ଏହି ମାମଲାରେ ଚାର୍ଜସିଟ୍ ଦାଖଲ ହେବା ପର୍ଯ୍ୟନ୍ତ ତାଙ୍କ ମହକିଲ ଜାମିନରେ ଥିଲେ ଏବଂ ଏବେ ଶୁଣାଣି ଆରମ୍ଭ ହୋଇ ଯାଇଛି । ତେଣୁ ତାଙ୍କ ମହକିଲଙ୍କୁ ବିଚାର ବିଭାଗୀୟ ହାଜତ ପଠାଇବାର କୌଣସି ଯଥାର୍ଥ ନାହିଁ ।

ମାମଲାର ଶୁଣାଣି କରିବା ପରେ ସୁ୍‌ପ୍ରିମକୋର୍ଟ ଆଗ୍ରାର ଏକ ଥାନାରେ ରୁଜୁ କେସରେ ଯବାନଙ୍କୁ ଗିରଫଦାରୀରୁ ଆଶ୍ୱସ୍ତି ଦେଇଛନ୍ତି । ଏହା ପୂର୍ବରୁ ହାଇକୋର୍ଟ ଆରୋପୀ ଯବାନଙ୍କୁ ତିନି ମାସ ପାଇଁ ଗିରଫଦାରୀରୁ ଆଶ୍ୱସ୍ତି ଦେଇ ଏହାକୁ ପରେ ବୃଦ୍ଧି କରାଯାଇ ପାରିବ ନାହିଁ ବୋଲି କହିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶକୁ ଯବାନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

Get real time updates directly on you device, subscribe now.