fbpx

ଆଇନଷ୍ଟାଇନ ଓ ଡାରୱିନଙ୍କ ସିଦ୍ଧାନ୍ତ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଯାଚିକା, ସର୍ବୋଚ୍ଚ ନ୍ୟାୟାଳୟ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ବିଶ୍ୱକୁ ଦେଇଛନ୍ତି ବହୁ ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ । ଆଇନଷ୍ଟାଇନଙ୍କର ସବୁଠାରୁ ଲୋକପ୍ରିୟ ସିଦ୍ଧାନ୍ତ ହେଉଛି (E=MC²) । କିନ୍ତୁ ମହାନ୍ ବୈଜ୍ଞାନିକଙ୍କ ଏହି ସିଦ୍ଧାନ୍ତକୁ ନେଇ କୋର୍ଟରେ ଏକ ପିଆଇଏଲ୍ ଦାଖଲ କରାଯାଇଛି । କେବଳ ଆଇନଷ୍ଟାଇନ ନୁହଁନ୍ତି ଚାର୍ଲସ ଡାରୱିନଙ୍କ ଇଭୋଲ୍ୟୁସନ ଥିଓରିକୁ ମଧ୍ୟରେ ଏହି ଯାଚିକାରେ ଆହ୍ୱାନ କରାଯାଇଛି । କିନ୍ତୁ ଏହି ଯାଚିକାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ଯାଚିକାକର୍ତ୍ତାଙ୍କୁ ପୁନର୍ବାର ଦୁଇ ମହାନ ବୈଜ୍ଞାନିକଙ୍କ ସିଦ୍ଧାନ୍ତ ପଢିବାକୁ ଓ ନିଜର ସିଦ୍ଧାନ୍ତ ପ୍ରସ୍ତୁତ କରିବାକୁ କହିଛନ୍ତି ।

ରାଜ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯାଚିକା ବିଚାରପତି ସଞ୍ଜୟ କିଶନ କୌଲ ଓ ବିଚାରପତି ସୁଧାଂଶୁ ଧୂଲିଆଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସାମ୍ନାକୁ ଆସିଥିଲା । ଯାଚିକାକର୍ତ୍ତା ଉଲ୍ଲେଖ କରିଥିଲେ କି ଏହି ସିଦ୍ଧାନ୍ତ ଭୁଲ୍ ଅଟେ ଓ ଏହାଦ୍ୱାରା ହଜାର ହଜାର ଲୋକଙ୍କର କ୍ଷତି ହୋଇଛି । ଏଣୁ ଏହାକୁ ଶିକ୍ଷାନୁଷ୍ଠାନରେ ପଢାଯିବା ଅନୁଚିତ ।

ଏହାର ଉତ୍ତରରେ ସୁପ୍ରିମକୋର୍ଟ ଯାଚିକାକର୍ତ୍ତାଙ୍କୁ ଆଉଥରେ ଭଲ ଭାବରେ ପଢିବାକୁ କିମ୍ବା ନିଜର ସିଦ୍ଧାନ୍ତ ବିକଶିତ କରିବାକୁ କହିଛନ୍ତି । ଏହି ଯାଚିକାର ଶୁଣାଣୀ କରି ସୁପ୍ରିମକୋର୍ଟ କହିଛନ୍ତି ଆପଣ ନିଜକୁ ପୁନର୍ବାର ଶିକ୍ଷିତ କରନ୍ତୁ କିମ୍ବା ନିଜର ସିଦ୍ଧାନ୍ତ ବନାନ୍ତୁ । ଆମେ କାହାକୁ ବି ଶିଖିବା ଲାଗି ମନା କରିବାକୁ ବାଧ୍ୟ କରିପାରିବୁ ନାହିଁ । ଏହା କହି କୋର୍ଟ ପିଟିସନକୁ ଖାରଜ କରି ଦେଇଛନ୍ତି ।

Get real time updates directly on you device, subscribe now.