fbpx

ଭୋଟ ପାଇବା ପାଇଁ ମାଗଣା ଘୋଷଣା କାହିଁକି କରୁଛ, ରାଜ୍ୟ ଅର୍ଥନୀତିକୁ ଏହା ପ୍ରଭାବିତ କରୁଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭୋଟ ହାତେଇବା ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଖାଲି ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି । କିଏ କହୁଛି ମାଗଣା ଛତା ଦେବ ତ କିଏ କହୁଛି ଜୋତା । କିଏ କହୁଛି ବିଜୁଳି ବିଲ୍ ଛାଡ଼ କରିବ ତ କିଏ କହୁଛି ପାଣି ବିଲ୍ ଛାଡ଼ କରିବ । କିଏ କହୁଛି ଋଣ ଛାଡ଼ କରିବ ତ ଆଉ କିଏ କହୁଛି ଚାକିରି ଦେବ । ତେବେ କ୍ଷମତାକୁ ଆସିଲେ ରାଜନୈତିକ ଦଳମାନେ ନିଜର ପ୍ରତିଶ୍ରୁତି ତ ପୂରଣ କରିବେ, ମାତ୍ର ସେତେବେଳକୁ ରାଜ୍ୟ ବହୁ ତଳକୁ ଖସି ଯାଇଥିବ । ନିକଟରେ ପଞ୍ଜାବରେ ସମସ୍ତ ରାଜନୈତିକ ଦଳର ମାଗଣା ଘୋଷଣାକୁ ନେଇ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି ଏନଭି ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନେଇ ଭାରତର ନିର୍ବାଚନ ଆୟୋଗ ଓ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ଦେଇଛନ୍ତି ।

ଜଣାପଡ଼ିଛି ଯେ, ପଞ୍ଜାବରେ କ୍ଷମତାକୁ ଆସିଲେ କଂଗ୍ରେସ ମାସକୁ ୩୦ ହଜାର କୋଟି, ଶିରୋମଣି ଅକାଳି ଦଳ ୨୫ ହଜାର ଓ ଆମ ଆଦମୀ ପାର୍ଟି ୧୨ ହଜାର କୋଟି ଖର୍ଚ୍ଚ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାର ପ୍ରଭାବ ନିଶ୍ଚିତ ଭାବରେ ରାଜ୍ୟର ଅର୍ଥନୀତିକୁ ଭାରାକ୍ରାନ୍ତ କରିବ । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଦରମା ସହ ଅନ୍ୟ ବାବଦରେ ହେବାକୁ ଥିବା ଖର୍ଚ୍ଚର ଭରଣା ପାଇଁ ଖୋଲା ବଜାରରୁ ହଜାର ହଜାର କୋଟି ଋଣ କରାଯାଉଛି । ଏପରି ସ୍ଥଳେ କ୍ଷମତା କ୍ଷୁଧା ମେଣ୍ଟାଇବା ପାଇଁ ଏପରି ମାଗଣା ସ୍କିମ୍ ଘୋଷଣା କରିବା କେତେଦୂର ଯଥାର୍ଥ ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ଆଗତ ପିଟିସନରେ କୁହାଯାଇଥିଲା ।

Get real time updates directly on you device, subscribe now.