ଛାତିରୁ ୩ ବର୍ଷ ପରେ ବାହାରିଲା ଛୁରୀ, ଏମକେସିଜିରେ ହେଲା ସଫଳ ଅସ୍ତ୍ରୋପଚାର

ତିନି ବର୍ଷ ହେଲା ଛାତିରୁ ଫୁସ୍‌ଫୁସ୍‌କୁ ବୁଲୁଥିଲା ଛୁରୀ । କାଶରୁ ରକ୍ତ ପଡ଼ିବା ପରେ ଡାକ୍ତର କରିଛନ୍ତି ସଫଳ ଅସ୍ତ୍ରୋପଚାର ।

ବ୍ରହ୍ମପୁର: ୩ ବର୍ଷ ପରେ ଛାତିରୁ ବାହାରିଲା ଛୁରୀ। ଏପରି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ।

ତିନି ବର୍ଷ ହେଲା ଛାତିରୁ ଫୁସ୍‌ଫୁସ୍‌କୁ ବୁଲୁଥିଲା ଛୁରୀ । କାଶରୁ ରକ୍ତ ପଡ଼ିବା ପରେ ଡାକ୍ତର କରିଛନ୍ତି ସଫଳ ଅସ୍ତ୍ରୋପଚାର । ଜଣେ ୨୨ ବର୍ଷୀୟ ଯୁବକଙ୍କ ଶରୀରରୁ ବାହାରିଛି ୮ ଇଞ୍ଚର ଛୁରୀ । ସଫଳ ଅସ୍ତ୍ରୋପଚାର କରି ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି ଡାକ୍ତର ।

ଅସ୍ତ୍ରୋପଚାର ହୋଇଥିବା ଯୁବକ ହେଉଛନ୍ତି ସନ୍ତୋଷ । ସେ ବେଙ୍ଗାଲୁରରେ କାମ କରୁଥିବା ବେଳେ ଏକ ଗଣ୍ଡଗୋଳରେ ଫସି ଯାଇଥିଲେ । ସେହି ସମୟରେ କେହି ଜଣେ ଦୁର୍ବୁତ୍ତ ତାଙ୍କ ବାମ ବେକ ତଳକୁ ଛୁରୀ ଭୁଷି ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଏହାପରେ ସେଠାକାର ଡାକ୍ତର ଚିକିତ୍ସା କରି ବେକରୁ ଖଣ୍ଡେ ଛୁରୀ ବାହାର କରିଥିଲେ । କିନ୍ତୁ ଆଉ ଖଣ୍ଡେ ଛୁରୀ ବେକରେ ହିଁ ରହିଯାଇଥିଲା । ଏହି ଭଙ୍ଗା ଛୁରୀକୁ ଛାତିରେ ରଖି ଜୀବନ ବିତାଉଥିଲେ ସନ୍ତୋଷ। ଫଳରେ ମାତ୍ର ତିନି ବର୍ଷ ପରେ ଆରମ୍ଭ ହୋଇଥିଲା ସ୍ୱାସ୍ଥ୍ୟ ସମସ୍ୟା ।

ତାଙ୍କର ସବୁବେଳେ ଛାତି ବିନ୍ଧିବା ସହ କାଶ ଲାଗି ରହିଥିଲା । ଏପରିକି କାଶରୁ ମଧ୍ୟ ରକ୍ତ ପଡୁଥିଲା । ଫଳରେ ଡାକ୍ତର ତାଙ୍କୁ ଟିବି ହୋଇଛି କହି ଔଷଧ ଦେଇ ଚାଲିଥିଲେ । କିନ୍ତୁ, ସେ ଯେତେବେଳେ ଏମକେସିଜି ହସ୍ପିଟାଲ ଆସିଥିଲେ ଅସଲ କାରଣ ଜଣାପଡ଼ିଥିଲା ।

ଏକ୍ସ-ରେ ପରେ ଜଣାପଡିଥିଲା ଯେ ତାଙ୍କ ଫୁସ୍‌ଫୁସ୍‌ରେ ଖଣ୍ଡେ ଛୁରୀ ରହିଛି । ସବୁଠୁ ବଡ଼ କଥା ହେଉଛି କି ବାମ ପାଖ ଛାତିରୁ ଛୁରୀଟି ଯାଇ ଡାହାଣ ଫୁସ୍‌ଫୁସ୍‌ରେ ପହଞ୍ଚିଥିଲା ।

ଏକ୍ସ-ରେରୁ ଜଣାପଡ଼ିବା ଛୁରୀ ସମ୍ପର୍କରେ ଜଣାପଡିବା ପରେ ସିଟିଭିଏସ ଟିମ୍ ସଫଳତାର ସହ ଅସ୍ତ୍ରୋପଚାର କରି ଛୁରୀକୁ ବାହାର କରିଛି। ଅସ୍ତ୍ରୋପଚାର ପରେ ସନ୍ତୋଷ ଆଇସିୟୁରେ ଅଛନ୍ତି । ସେ ଖୁବ୍ କମ୍ ଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ସୂଚନା ମିଳିଛି ।