fbpx

ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ ପୂର୍ବରୁ ମୁହାଁମୁହିଁ ହେବ ଭାରତ-ଅଷ୍ଟ୍ରେଲିଆ, ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବିଶେଷ ଗୁରୁତ୍ୱ ବହନ କରିବ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ । ତେବେ ଏହି ବିଶ୍ୱକପ ପାଇଁ ପ୍ରାକ୍‌ ପ୍ରସ୍ତୁତି କରିବା ସକାଶେ ଅଷ୍ଟ୍ରେଲିଆ ପାଇଁ ବଡ ସୁଯୋଗ ରହିଛି । କାରଣ ବିଶ୍ୱକପ ପୂର୍ବରୁ ସେପ୍ଟେମ୍ବର ମାସରେ ଭ୍ରମଣକାରୀ ଜିମ୍ବାୱେ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ବିରୋଧରେ ଅଷ୍ଟ୍ରେଲିଆ ଏକାଧିକ ଘରୋଇ ସୀମିତ ଓଭର ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି । ସେହିପରି ବିଶ୍ୱକପ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଅଷ୍ଟ୍ରେଲିଆ ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସି ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି। ତେଣୁ ଆଗାମୀ ଟି-୨୦ ବିଶ୍ବକପ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ଏହି ସିରିଜ ବିଶେଷ ଗୁରୁତ୍ୱ ବହନ କରିବ ।

ସେହିପରି ଅଷ୍ଟ୍ରେଲିଆ ଦଳ ୨୦୨୩ ଫେବୃୟାରୀ ମାସରେ ଭାରତ ଗସ୍ତ କରି ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି । ଅନ୍ୟ ପକ୍ଷରେ ଭାରତ ଆସନ୍ତା ଜୁନ ମାସ ୯ରୁ ୧୯ ତାରିଖ ମଧ୍ୟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଘରୋଇ ଟି- ୨୦ ସିରିଜ ଖେଳିବ । ଏହା ପରେ ଭାରତୀୟ ଦଳ ଆୟର୍ଲାଣ୍ଡ ଗସ୍ତ କରି ୨ ଟି-୨୦ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରି ଜୁଲାଇ ୧ରୁ ଗତ ବର୍ଷର ସ୍ଥଗିତ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ ଖେଳିବା ପରେ ଇଂଲଣ୍ଡ ବିରୋଧରେ ୩ ଟି-୨୦ ଓ ୩ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ । ତେଣୁ ଏହି ସବୁ ସିରିଜରେ ଭଲ ପ୍ରଦର୍ଶନ କରିବା ଖେଳାଳିଙ୍କୁ ନେଇ ବିସିସିଆଇ ଚୟନ କର୍ତ୍ତାମାନେ ଟି- ୨୦ ବିଶ୍ୱକପ ପାଇଁ ଚୂଡାନ୍ତ ଦଳ ଗଠନ ପାଇଁ ସୁଯୋଗ ପାଇବେ।

Get real time updates directly on you device, subscribe now.