fbpx

ଟି-୨୦ ବିଶ୍ୱକପ୍‌: ଭାରତ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ବଡ ଚାଲେଞ୍ଜ, ନୂଆ ରଣନୀତି ପ୍ରସ୍ତୁତ କରୁଛି ବିରାଟ ବାହିନୀ

ଦୁବାଇ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ଚାମ୍ପିଅନ ହେବ ବୋଲି ଅନେକ କ୍ରିକେଟ ବିଶେଷଜ୍ଞ ପୂର୍ବରୁ ଅନୁମାନ କରୁଥିଲେ । ମାତ୍ର ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ହାରି ଯିବା ପରେ ଭାରତ ବଡ ସମସ୍ୟାରେ ପଡିଛି । କାରଣ ସୁରପ ୧୨ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୨ ଦଳ ମଧ୍ୟରୁ ଶ୍ରେଷ୍ଠ ୪ ଦଳ ସେମିଫାଇନାଲ ଖେଳିବା ସୁଯୋଗ ପାଇବେ । ଏହି ସବୁ ଦଳକୁ ଦୁଇ ଗ୍ରୁପରେ ବିଭକ୍ତ କରାଯାଇଥିବା ବେଳେ ପ୍ରତି ଗ୍ରୁପରେ ୬ ଲେଖାଏଁ ଦଳ ଅଛନ୍ତି । ପ୍ରତି ଗ୍ରୁପରୁ ଦୁଇ ଲେଖାଏଁ ଦଳ ସେମିଫାଇନାଲ ଖେଳିବାକୁ ଥିବାବେଳେ ଭାରତ ଏହି ପର୍ଯ୍ୟାୟକୁ ଯିବା ପାଇଁ ହେଲେ ଆଗାମୀ ମ୍ୟାଚରେ ବହୁତ ବଡ ଚାଲେଞ୍ଜର ସମ୍ମୁଖୀନ ହେବ । କାରଣ ଆଗାମୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ ।

ସେହିପରି ଅବଶିଷ୍ଟ ୩ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ସ୍କଟଲାଣ୍ଡ ,ନାମ୍ବିଆ ଓ ଆଫଗାନିସ୍ତାନ ବିରୋଧରେ ଖେଳିବ । ବିଶ୍ୱକପରେ କୌଣସି ଦଳକୁ ହେୟଜ୍ଞାନ କରାଯାଇ ପାରିବ ନାହିଁ । କାରଣ ସୁଯୋଗ କ୍ରମେ ଏହି ଫର୍ମାଟରେ ଯେ କୌଣସି ଦଳ ଅନ୍ୟ ଦଳକୁ ହରାଇ ପାରିବ । ତେଣୁ ଭାରତ ଗ୍ରୁପ ପର୍ଯ୍ୟାୟର ଅବଶିଷ୍ଟ ମ୍ୟାଚରେ ବିଜୟୀ ହେଲେ ସେମିଫାଇନାଲ ଖେଳିବା ଆଶା କରି ପାରିବ । ମାତ୍ର ପରବର୍ତ୍ତୀ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଜିତିବା ଭାରତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେବେ ନ୍ୟୁଜିଲାଣ୍ଡ ବିରୋଧରେ ଭାରତର ରେକର୍ଡ ଅତି ଖରାପ ।

କାରଣ ୨୦୦୩ ଦିନିକିଆ ବିଶ୍ୱକପରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଭାରତ ପରବର୍ତ୍ତୀ ସମୟରେ ଅନୁଷ୍ଠିତ କୌଣସି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ପାରିନାହିଁ । ଉଭୟ ଦେଶ ମଧ୍ୟରେ ୧୬ ଟି-୨୦ ମୁକାବିଲା ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୮-୬ରେ ଆଗୁଆ ରହିଛି । ତେବେ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଦେଖିଲେ ଜଣା ଯାଏ ଯେ ୨୦୦୭ ଟି-୨୦ ବିଶ୍ୱକପରେ ଭାରତ ଚାମ୍ପିଅନ ହୋଇ ଥିଲେ ହେଁ ନ୍ୟୁଜିଲାଣ୍ଡ ଠାରୁ ଲିଗ ମ୍ୟାଚରେ ୧୦ ରନରେ ହାରିଥିଲା । ସେହିପରି ୨୦୧୬ ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତକୁ ୪୭ ରନରେ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ । ଅନ୍ୟ ପକ୍ଷରେ ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ହାରିଥିଲା ଭାରତ ।

ସେହିପରି ଚଳିତ ବର୍ଷ ଅନୁଷ୍ଠିତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲରେ ମଧ୍ୟ ଭାରତକୁ ୮ ୱିକେଟରେ ହରାଇଥିଲା ନ୍ୟୁଜିଲାଣ୍ଡ । ତେଣୁ ଚଳିତ ଟି-୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପାଇଁ ଭାରତ ବହୁତ ବଡ ଚାଲେଞ୍ଜର ସମ୍ମୁଖୀନ ହେବ ବୋଲି ଅନୁମାନ ।

Get real time updates directly on you device, subscribe now.