fbpx

News across the Earth, news close to your heart, Read Odisha Bhaskar English

୩୪ ପୋଲିସ ଜିଲ୍ଲାରେ ଖୋଲିବ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ପିଲାଙ୍କ ସୁବିଧା ପାଇଁ ରହିବ ବିଛଣା, ଚୌକି ଓ ଟେବୁଲ ସୁବିଧା

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ଶିଶୁ ସହାୟତା ଆବଶ୍ୟକ କରୁଥିବାବେଳେ ସେହି ଶିଶୁମାନଙ୍କ ପାଇଁ ଥାନା ଭିତରେ ସ୍ୱତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ଏହି ସବୁ ପୋଲିସ ଷ୍ଟେସନରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଉପଲବ୍ଧ କରାଯିବ । ଏହିସବୁ ଥାନାଗୁଡ଼ିକରେ ସ୍ୱତନ୍ତ୍ର ଲୋଗୋ ଓ ଫଳକ ରହିବା ସହ ଛୋଟ ଛୋଟ ପୁସ୍ତକାଗାର ମଧ୍ୟ ସ୍ଥାପନ କରାଯିବ । ଏହି ପୁସ୍ତକାଗାରରେ ବିଭିନ୍ନ ରୁଚିସମ୍ପନ୍ନ ପୁସ୍ତକ, ପତ୍ର ତ୍ରିକା ଓ ସମ୍ବାଦପତ୍ର ରଖାଯିବ । ଏହାସହିତ ଶିଶୁମାନଙ୍କ ସୁବିଧା ପାଇଁ ବିଛଣା, ଚୌକି ଓ ଟେବୁଲ ମଧ୍ୟ ରଖାଯିବ । ଏତଦ୍‌ବ୍ୟତୀତ ଏହି ଶିଶୁମାନଙ୍କ ଅଧିକାର ସମ୍ପର୍କୀତ ଫଳକ ଲଗାଯିବ । ଏପରିକି ଦାୟିତ୍ୱରେ ଥିବା ପୋଲିସ ଅଧିକାରୀମାନେ ଏହି ଶିଶୁମାନଙ୍କ ପ୍ରତି କିପରି ବ୍ୟବହାର କରିବେ ସେ ନେଇ ମଧ୍ୟ ସୂଚନାଫଳ ଲଗାଯିବ । ଏହାସହିତ ପିଲାଙ୍କ ପାଇଁ ଖେଳଣା ଓ ଅନ୍ୟାନ୍ୟ ମନୋରଞ୍ଜନ ସାମଗ୍ରୀ ଉପଲବ୍ଧ କରାଯିବ ।

ଥାନା ପରିସର ଭିତରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବାପାଇଁ ଏହିସବୁ ଥାନାର କାନ୍ଥଗୁଡ଼ିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନୀତ କରାଯିବ । ସାଧାରଣ ଥାନାଗୁଡ଼ିକ ଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଠନ କରାଯିବ । ଫଳରେ ଥାନାକୁ ଯାଉଥିବା ଶିଶୁମାନଙ୍କ ମାନସିକ ଚାପ ହ୍ରାସ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି । ଖୁବ୍‌ଶୀଘ୍ର ଏହିସବୁ ଥାନା ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.