fbpx

ଆଜିଠୁ ବିଶ୍ୱକପର ସୁପର ୧୨ ଲଢ଼େଇ: ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା

ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ସୁପର୍ ୧୨ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ । ଓମାନରେ ଶୁକ୍ରବାର ଦିନ ବିଶ୍ୱକପର ପ୍ରଥମ ରାଉଣ୍ଡ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ସମାପ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଚାରି ଦଳ ଶ୍ରୀଲଙ୍କା ,ବାଂଲାଦେଶ ,ସ୍କଟଲାଣ୍ଡ ଓ ନାମ୍ବିଆ ସୁପର ୧୨ ପର୍ଯ୍ୟାୟର ଅନ୍ୟ ୮ ଦଳ ସହିତ ସାମିଲ ହୋଇଛନ୍ତି । ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ସୁପର ପର୍ଯ୍ୟାୟ ମୁକାବିଲାର ଗୋଟିଏ ମ୍ୟାଚରେ ଇଂଲଣ୍ଡ – ୱେଷ୍ଟଇଣ୍ଡିଜ ଓ ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ । ତେଣୁ ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବାକୁ ସବୁ ଦଳର ଲକ୍ଷ୍ୟ ରହିଛି ।

ସୂଚନା ଯୋଗ୍ୟ ଯେ ଇଂଲଣ୍ଡ ଗୋଟିଏ ଥର ଟି-୨୦ ବିଶ୍ୱକପ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ଦୁଇଥର ହାସଲ କରିଛି ଟାଇଟଲ । ଭାରତରେ ଅନୁଷ୍ଠିତ ଗତ ୨୦୧୬ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇ ଥିଲା । ଉଭୟ ଦଳରେ ଏକାଧିକ ମ୍ୟାଚ ବିଜୟୀ ବୋଲର ଓ ବ୍ୟାଟର ଅଛନ୍ତି । ୱେଷ୍ଟଇଣ୍ଡିଜ ପୁଣି ଥରେ ଏହି ସମ୍ମାନ ଜନକ ଟାଇଟଲ ହାସଲ ପାଇଁ ଆଶୟୀ ଥିବା ବେଳେ ଇଂଲଣ୍ଡ ମଧ୍ୟ ଅନୁରୂପଆଶ ରଖିଛି । ତେଣୁ ପ୍ରଥମ ମ୍ୟାଚ ଜିତିବା ପାଇଁ ଉଭୟ ଦଳ ଜୋରଦାର ମାନସିକ ପ୍ରସ୍ତୁତି ଚଳାଇଛି ।

ସେହିପରି ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପରେ ପାଞ୍ଚଥର ଚାମ୍ପିଅନ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କେବେ ଟି-୨୦ ବିଶ୍ୱକପ ବିଜୟ ସ୍ୱାଦ ଚାଖିନାହିଁ । ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ଏକ ଲଢ଼ୁଆ ଦଳ ଭାବେ ପରିଗଣିତ ହେଉଥିବା ବେଳେ କୌଣସି ସୁଯୋଗରେ ଦିନିକିଆ କିମ୍ବା ଟି-୨୦ ବିଶ୍ୱକପ ଜିତି ପାରି ନାହିଁ । ତେଣୁ ଉଭୟ ଦଳ ଟାଇଟଲ ହାସଲ ପାଇଁ ବ୍ୟଗ୍ର ଥିବାରୁ ପ୍ରଥମ ଲଢ଼େଇରେ ଜିତାପଟ ମାରିବା ପାଇଁ ଅପେକ୍ଷା କରି ରହିଛନ୍ତି । ତେଣୁ ଦୁଇଟି ଯାକ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ । ସେହିପରି ୨୪ ତାରିଖ ଦିନ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ଏହି ହାଇ ପ୍ରୋଫାଇଲ ମ୍ୟାଚ ଉପଭୋଗ କରିବା ପାଇଁ ସମସ୍ତଙ୍କର ଅପେକ୍ଷାରେ ଅଛନ୍ତି।

Get real time updates directly on you device, subscribe now.