fbpx

ଟି-୨୦ ବିଶ୍ୱକପ୍‌: ଜୁଲାଇରେ ଘୋଷଣା ହେବ କାର୍ଯ୍ୟସୂଚୀ ଓ ନିର୍ଦ୍ଦିଷ୍ଟ ତାରିଖ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟି୦୨୦ କ୍ରିକେଟ ବିଶ୍ୱକପ୍‌ ଅସନ୍ତା ଅକ୍ଟୋବର- ନଭେମ୍ବର ମାସରେ ହେବ ବୋଲି ସ୍ଥିର ହୋଇଥିଲେ ହେଁ ଆଇସିସ ପକ୍ଷରୁ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ । କାରଣ ବିସିସିଆଇ ଆୟୋଜନ କରିବାକୁଥିବା ଆଇପିଏଲର ଦ୍ୱିତୀୟ ଭାଗ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ନିକଟରେ ଚୂଡାନ୍ତ କରାଗଲା । ତେଣୁ ଆଇପିଏଲ କାର୍ଯ୍ୟସୂଚୀକୁ ନେଇ ଆଇସିସି ଟି-୨୦ କ୍ରିକେଟ ବିଶ୍ୱକପ ତାରିଖ ଘୋଷଣା କରିବା ପାଇଁ ବିଚାର ବିମର୍ଷ ଚଳାଇଛି ।

ପୂର୍ବ ଆଲୋଚନା ଅନୁଯାୟୀ ଟି-୨୦ କ୍ରିକେଟ ବିଶ୍ୱକପ୍‌ ଅକ୍ଟୋବର ୧୮ରୁ ଆରମ୍ଭ ହେବାର ଥିଲା । ମାତ୍ର ଆଇପିଏଲ ଯଦି ଅକ୍ଟୋବର ୧୫ରେ ସରିବ ,ତେବେ
ଆଉ ମାତ୍ର ତିନିଦିନ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ । ତେଣୁ ଆଇପିଏଲ ସହ ସଂପୃକ୍ତି ଥିବା ଖେଳାଳି ମାନେ ବିଶ୍ୱକପ୍‌ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତି ହେବା
କଷ୍ଟକର ହୋଇ ପଡିବ । ତେଣୁ ଆଇସିସି ଟି-୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କରିବା ପାଇଁ କାଳ ବିଳମ୍ଭ କରୁଛି । ତେବେ ଆଇସିସ ସ୍ପଷ୍ଟ କରିଛି ଯେ କୌଣସି
ଘରୋଇ ଟୁର୍ଣ୍ଣାମେଣ୍ଟ ଓ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ମଧ୍ୟରେ କେତେଦିନ ତଫାତ୍‌ ରହିବା ଉଚିତ ,ସେ ନେଇ କୌଣସି ବାଧ୍ୟତାମୂଳକ ନିୟମ ନାହିଁ । ଅନ୍ୟ ପକ୍ଷରେ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପିଚ୍‌ ଓ ଗ୍ରାଉଣ୍ଡ ପ୍ରସ୍ତୁତ କରିବା ସକାଶେ କେବଳ ୧୦ ଦିନ ସମୟ ଆବଶ୍ୟକ । ତେଣୁ ଏହା ଏକ ନର୍ମ,ମାତ୍ର ରୁଲ୍‌ ନୁହେଁ ବୋଲି ଆଇସିସି କହିଛି ।

ସେହିପରି ବିସିସିଆଇର ଉପ-ସଭାପତି ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ ଆଇପିଏଲ ଶେଷ ହେବାର ତିନିଦିନ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେଲେ ଖେଳାଳିଙ୍କ ପାଇଁ କୌଣସି ସମସ୍ୟା ହେବ ନାହିଁ । କାରଣ ୧୧ ଟେଷ୍ଟ ଖେଳୁଥିବା ଦେଶ ସହିତ ଆଇସିସିର ପାଞ୍ଚ ସହଯୋଗୀ ସଦସ୍ୟ ତଥା ନନ୍‌ ଟେଷ୍ଟ ପ୍ଲେଇଂ ରାଷ୍ଟ୍ର ପପୁଆ ନ୍ୟୁଗୁଏନା ,ନେଦରଲାଣ୍ଡ ,ନାମ୍ବିଆ ,ସ୍କଟଲାଣ୍ଡ ଏବଂ ଓମାନ ଟି-୨୦ ବିଶ୍ୱକପରେ ଭାଗନେବେ । ଏହି ସବୁ ରାଷ୍ଟ୍ରକୁ ନେଇ ଓମାନରେ ଟି-୨୦ ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହେବ । ତେଣୁ ଏହି ପର୍ଯ୍ୟାୟ ମ୍ୟାଚ ପରେ ଟେଷ୍ଟ ଖେଳୁଥିବା ଦେଶ ସେମାନଙ୍କର ବିଶ୍ୱକପ ଅଭିଯାନଆରମ୍ଭ କରିବେ । ତେଣୁ ଆଇପିଏଲ ଅକ୍ଟୋବର ୧୫ରେ ଶେଷ ହେବା ପରେ ଯଦି ୧୮ରେ ବିଶ୍ୱକପ ଅନୁଷ୍ଠିତ ହୁଏ, ତେବେ ଟେଷ୍ଟପ୍ଲେଇଂ ଦେଶମାନଙ୍କ ପାଇଁ କୌଣସି ସମସ୍ୟା ହେବ ନାହିଁ । କାରଣ ଆଇପିଏଲ ପରେ ଟେଷ୍ଟ ପ୍ଲେଇଂ ଦେଶର ଖେଳାଳି ଆବଶ୍ୟକ ବିଶ୍ରାମ ସହିତ ମାନସିକ ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ମିଳିବ । ତେବେ ଆଇସିସି ସବୁଦିଗ ଉପରେ ବିଚାର କରି ବିଶ୍ୱକପ କାର୍ଯ୍ୟସୂଚୀ ଓ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବ ବୋଲି କହିଛନ୍ତି ରାଜୀବ ଶୁକ୍ଲା ।

Get real time updates directly on you device, subscribe now.