fbpx

T-Series ନାମରେ ବିଶ୍ୱ ରେକର୍ଡ: ଦୁନିଆର ପ୍ରଥମ YouTube ଚ୍ୟାନେଲ ଭାବେ ପାର କଲା ୨୦୦ ମିଲିଅନ ସବସ୍କ୍ରାଇବର୍ସ

ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ଦୁନିଆର ପ୍ରଥମ ୟୁଟ୍ୟୁବ ଚ୍ୟାନେଲ ଭାବେ ୨୦ କୋଟି ସବସ୍କ୍ରାଇବର୍ସ ପାର କରିଛି । ଟି-ସିରିଜ କେବଳ ଉଚ୍ଚକୋଟୀର ସଙ୍ଗୀତ ଦର୍ଶକଙ୍କୁ ଯୋଗାଇଛି ତା’ ନୁହେଁ, ଫିଲ୍ମ କ୍ଷେତ୍ରରେ ମଧ୍ୟ ତା’ର ଉଲ୍ଲେଖନୀୟ ଅବଦାନ ରହିଛି । ତେବେ ଏହି ମାଇଲଖୁଣ୍ଟ ଅତିକ୍ରମ କରି ଦୁନିଆର ନମ୍ବରୱାନ ୟୁଟ୍ୟୁବ ଚ୍ୟାନେଲ ହୋଇଥିବା ନେଇ ଟି-ସିରିଜ୍ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । ଏହା ନିଶ୍ଚିତ ଭାବେ ଏକ ଐତିହାସିକ ମୁହୂର୍ତ୍ତ ଯାହାକି ସମଗ୍ର ଦେଶ ପାଇଁ ଗର୍ବର ବିଷୟ । ଦୁନିଆର ଶୀର୍ଷ ୟୁଟ୍ୟୁବ ଚ୍ୟାନେଲ ମଧ୍ୟରେ ଭାରତର ଚ୍ୟାନେଲ ସ୍ଥାନ ପାଇଥିବା କମ୍ପାନୀ ପକ୍ଷରୁ କୁହଯାଇଛି ।

ଏନେଇ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାର କହିଛନ୍ତି ଯେ, ସେ ଟି-ସିରିଜର ଏହି ସଫଳତାରେ ଅତ୍ୟନ୍ତ ରୋମାଞ୍ଚିତ ହୋଇପଡ଼ିଛନ୍ତି, ଯାହାକି ସମସ୍ତ ଭାରତୀୟଙ୍କ ଗର୍ବ କରିବାର ମୁହୂର୍ତ୍ତ ଅଟେ । ଏହି ଅବସରରେ ସେ ବିଶ୍ୱର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଟି-ସିରିଜ ଦର୍ଶକଙ୍କୁ ବିଭିନ୍ନ ସମୟରେ ଭିନ୍ନ ସ୍ୱାଦର ମ୍ୟୁଜିକ ଦେଇ ମନୋରଞ୍ଜନ କରାଇବାରେ ସକ୍ଷମ ହୋଇଛି । କମ୍ପାନୀ ଅରିଜିତ ସିଂହ, ଗୁରୁ ରନ୍ଧୱା, ଜୁବିନ ନୌଟିଆଲ, ତୁଲସୀ କୁମାର, ମିଥୁନ, ତନିଷ୍କ ବାଗଚୀ, ଅମାଲ ମଲିକ, ମିଟ ବ୍ରୋସ, ରୋଚକ କୋହଲୀ, ସଚେତ ଟଣ୍ଡନଙ୍କ ଭଳି ପ୍ରତିଭାଶାଳୀ କଳାକାରଙ୍କ ସହିତ କାର୍ଯ୍ୟ ଜାରି ରଖିଛି । ଏଥିସହ ଆଁଖ ମାରେ, ଲୁଟ ଗଏ, ଚାମ ଚାମ, ଲାହୌର, ଲେଜା ରେ, ବାମ ଡିଗୀ ଡିଗୀ, ନିକଲେ କରେଣ୍ଟ ପରି ଟ୍ରାଇଟଲ ଟ୍ରାକ ତଥା ହିଟ୍ ନମ୍ବର ଦେଇଛି । କବୀର ସିଂହ, ଥପ୍ପଡ଼, ପତି ପତ୍ନୀ ଔର ୱ, ସୋନୁ କି ଟିଟୁ କି ସ୍ୱିଟି, ଏୟାରଲିଫ୍ଟ, ଆଶିକୀ ୨ ସମେତ ଅନେକ ମେଗା ହିଟ୍ ଫିଲ୍ମ ମଧ୍ୟ ଟି-ସିରିଜ୍ ନିର୍ମାଣ କରିଛି ।

Get real time updates directly on you device, subscribe now.