fbpx

ଭାରତ-ପାକ୍ ମୁକାବିଲାକୁ ନେଇ ମାରାମାରି, ମାତ୍ର ୧୦ ମିନିଟରେ ବିକ୍ରି ହେଲା ୯୦ ହଜାର ଟିକେଟ୍

ନୂଆଦିଲ୍ଲୀ: ଚଳିତ ମାସ ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଉଥିବା ଟି-୨୦ ବିଶ୍ଵ କପ୍ ୨୦୨୨କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ବିଶ୍ଵ କପ୍ ପାଇଁ ଅଦ୍ୟାବଧି ୬ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଛି। ଅକ୍ଟୋବର ୧୬ରୁ ପ୍ରଥମ ପର୍ଯ୍ୟାୟଏବଂ ଅକ୍ଟୋବର ୨୨ରୁ ମୁଖ୍ୟ ପର୍ଯ୍ୟାୟର ମୁକାବିଲା ଆରମ୍ଭ ହେବ। ଅଷ୍ଟ୍ରେଲିଆର ସାତ ସହରରେ ସମସ୍ତ ମ୍ୟାଚ୍ ଖେଳାଯିବ। ସିଡନୀରେ ହେବାକୁ ଥିବା ଫାଇନାଲ୍ ମୁକାବିଲାର ସମସ୍ତ ଟିକେଟ୍ ବିକ୍ରି ହୋଇ ସାରିଛି। ସବୁଠୁ ଅଧିକ କ୍ରେଜ୍ ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ନେଇ ଲାଗି ରହିଛି।

ବିଶ୍ଵ କପରେ ଅକ୍ଟୋବର ୨୩ରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲଟେଜ୍ ମୁକାବିଲା। ମାତ୍ର ୧୦ ମିନିଟରେ ୯୦ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଛି। ଟିକେଟ୍ ପାଇଁ ଦର୍ଶକଙ୍କ ମଧ୍ୟରେ ନାହିଁନଥିବା ପ୍ରତିଯୋଗିତା ଦେଖିବାକୁ ମିଳିଛି। ବହୁପ୍ରତୀକ୍ଷିତ ଏହି ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ବିଶ୍ଵକପର ପ୍ରଥମ ମ୍ୟାଚ୍ ପାଇଁ ଅଳ୍ପ କିଛିଟା ଟିକେଟ୍ ବାକି ରହିଛି। ଏହି ମ୍ୟାଚ୍ ଶ୍ରୀଲଙ୍କା ଏବଂ ନାମିବିୟା ମଧ୍ୟରେ ଖେଳାଯିବ। ପୁଣି ଉକ୍ତ ଦିନ ୟୁଏଇ ଏବଂ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ।

ଆଇସିସି ଟି-୨୦ ବିଶ୍ଵ କପର ପ୍ରମୁଖ ମିଚେଲ ଏନରାଇଟ୍ କହିଛନ୍ତି, ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ପ୍ରସ୍ତୁତି ଦେଖିଲେ ଖୁସି ଲାଗୁଛି। ଅକ୍ଟୋବରରେ ଷ୍ଟାଡିୟମ ପୂର୍ଣ୍ଣ ରହିବା ଦେଖିବାକୁ ମିଳିବ, ଯାହା କ୍ରିକେଟ୍ ପାଇଁ ବଡ ଖୁସିର ଖବର। ଅଧିକାଂଶ ମ୍ୟାଚ୍ ପାଇଁ ଏବେବି କିଛି ଟିକେଟ୍ ଉପଲବ୍ଧ ରହିଛି।ବଡ ଦଳ ମଧ୍ୟରେ ଥିବା ମୁକାବିଲା ପାଇଁ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ତଥାପି ଆମେ ସମସ୍ତ ପ୍ରସ୍ତୁତି କରି ନେଇଛୁ। କୌଣସି ଫରକ ପଡିବ ନାହିଁ ଯେ, ଆପଣ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଭାରତ, ପାକିସ୍ତାନ କିମ୍ବା ଅନ୍ୟ ଦଳର ସମର୍ଥନ କରୁଛନ୍ତି।

Get real time updates directly on you device, subscribe now.