fbpx

କେବେ ଏବଂ କେଉଁଠି ଖେଳାଯିବ ଆଇସିସି ଟି-୨୦ ବିଶ୍ଵ କପ୍ ? ସାମ୍ନାକୁ ଆସିଲା କାର୍ଯ୍ୟସୂଚୀ

AAKASH

ନୂଆଦିଲ୍ଲୀ : ଟି-୨୦ ବିଶ୍ଵ କପ୍ ୨୦୨୧ କେଉଁଠି ଖେଳାଯିବ, କେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ଏବଂ ଫାଇନାଲ୍ କେବେ ଖେଳାଯିବ, ତାର ଚିତ୍ର ଆପାତଃ ସ୍ପଷ୍ଟ ହୋଇ ଯାଇଛି। ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୭ରୁ ୟୁଏଇରେ ଆରମ୍ଭ ହେଉଥିବା ବେଳେ ଫାଇନାଲ୍ ମୁକାବିଲା ନଭେମ୍ଵର ୧୪ରେ ଖେଳାଯିବ। କ୍ରିକଇନଫୋ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ଆଇପିଏଲ ସମାପ୍ତ ହେବାର କିଛି ଦିନ ପରେ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମୁକାବିଲା ଅକ୍ଟୋବର ୧୫ରେ ଖେଳାଯିବାର ସମ୍ଭାବନା ରହିଛି। ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ।

ହେଲେ ବିସିସିଆଇ ଅଦ୍ୟାବଧି ଆଇସିସିକୁ ଆନୁଷ୍ଠାନିକ ଭାବେ ଟି-୨୦ ବିଶ୍ଵ କପର କାର୍ଯ୍ୟସୂଚୀକୁ ନେଇ ସୂଚନା ଦେଇ ନାହିଁ। କିନ୍ତୁ କ୍ରିକଇନଫୋ ବିଶ୍ଵସ୍ତ ସୂତ୍ରରୁ ଉପରୋକ୍ତ ସୂଚନା ଦେଇଛି। ଯୋଜନା ଅନୁଯାୟୀ, ଟି-୨୦ ବିଶ୍ଵ କପର ପ୍ରାରମ୍ଭିକ ପର୍ଯ୍ୟାୟର କିଛି ମ୍ୟାଚ୍ ୟୁଏଇ ଓ ଓମାନରେ ଖେଳାଯିବ।

ଏମିତି ଖେଳାଯିବ ଟୁର୍ଣ୍ଣାମେଣ୍ଟ

ପ୍ରଥମ ରାଉଣ୍ଡରେ ୮ଟି ଦଳକୁ ନେଇ ୧୨ଟି ମ୍ୟାଚ୍ ଖେଳାଯିବ। ଏଥିରୁ ୪ ଟିମ୍ ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିବେ। ପୂର୍ବରୁ ୮ ଟିମ୍ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଏବେ ଯେଉଁ ୮ଟି ଦଳ ପ୍ରଥମ ରାଉଣ୍ଡ ମ୍ୟାଚ୍ ଖେଳିବେ ସେଥିରେ ବାଂଲାଦେଶ, ଶ୍ରୀଲଙ୍କା, ଆୟରଲାଣ୍ଡ, ନେଦରଲାଣ୍ଡ, ସ୍କଟଲାଣ୍ଡ, ନାମ୍ବିଆ, ଓମାନ, ପପୁଆ ନ୍ୟୁ ଗିନି ସାମିଲ।

ସୁପର ୧୨ଟି ଟିମକୁ ନେଇ ୩୦ଟି ମ୍ୟାଚ୍ ଖେଳାଯିବ। ଦ୍ଵିତୀୟ ରାଉଣ୍ଡ ଅକ୍ଟୋବର ୨୪ରୁ ଆରମ୍ଭ ହେବ। ସୁପର ୧୨ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତିଟି ଗ୍ରୁପରେ ୬ଟି ଦଳ ରହିବେ। ଏହି ମୁକାବିଲା ୟୁଏଇର ତିନୋଟି ସହର ଦୁବାଇ, ଆବୁଧାବି ଓ ସାରଜାରେ ଖେଳାଯିବ। ଏହା ପରେ ତିନୋଟି ପ୍ଲେଅଫ୍ ମୁକାବିଲା ଖେଳାଯିବ ଦୁଇଟି ସେମିଫାଇନାଲ ଓ ଫାଇନାଲ। ୟୁଏଇ ଓ ଓମାନରେ ପ୍ରଥମ ରାଉଣ୍ଡ ମ୍ୟାଚ୍ ଏବଂ ସୁପର ୧୨ ମୁକାବିଲା ୟୁଏଇରେ ଖେଳାଯିବା ନେଇ ବିସିସିଆଇ ଆଶ୍ଵସ୍ତ ଅଛି।

Get real time updates directly on you device, subscribe now.