fbpx

ଡେଉଁରିଆ ଭରିଦିଏ ମନରେ ବିଶ୍ୱାସ: ମା ମଝିଘରିଆଣିଙ୍କ ଆର୍ଶିବାଦ ହେଉଛି ଏହି ଡେଉଁରିଆ

ରାୟଗଡା: ଓଡିଶାର ପ୍ରମୁଖ ଶକ୍ତି ପୀଠ ମଧ୍ୟରେ ରାୟଗଡାର ପ୍ରତିଷ୍ଠିତ ଦେବୀ ମା’ ମଝି ଘରିଆଣି ପୀଠ ଅନ୍ୟତମ । ଏଠାରେ ବର୍ଷସାରା ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥାଏ । ମା’ଙ୍କ ପାଖରେ ଯେକୌଣସି ମାନସିକ କଲେ, ଏହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ବି ଚାଲିଛି ମାଙ୍କ ପୀଠରେ ବଳି ପ୍ରଥା । ମାନସିକ ପୂରଣ ହେବା ପରେ ଭକ୍ତମାନେ ଲଣ୍ଡା ହୋଇଥାନ୍ତି କିମ୍ବା ମା’ଙ୍କ ନିକଟରେ ପଶୁ ବଳି ଦେଇଥାନ୍ତି ।

କେବଳ ରାୟଗଡା କିମ୍ବା ଓଡିଶାରୁ ନୁହେଁ ପଡୋଶୀ ରାଜ୍ୟରୁ ମଧ୍ୟ ମା’ ମଝି ଘରିଆଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥାଏ । ଦର୍ଶନ ସାରି ଫେରିବା ବେଳେ ମା’ଙ୍କ ସାନିଧ୍ୟରୁ ଆଶୀର୍ବାଦ ସ୍ୱରୂପ ଏକ ଡେଉଁରିଆ ନେଇ ଯାଆନ୍ତି ଭକ୍ତ । ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ଏବଯ ଯୁବକ ଯୁବତୀ, ସଭିଙ୍କ ପାଇଁ ଏଠାରେ ପ୍ରସ୍ତୁତ କରାଯାଏ ଡେଉଁରିଆ । ତମ୍ବା, ପିତ୍ତଳ ଏବଂ ରୌପ୍ୟ ନିର୍ମିତ ଏହି ଡେଉଁରିଆରେ ମା’ଙ୍କ ଆଶୀର୍ବାଦ ରହିଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି ।

କୁହାଯାଏ ଏହି ଡେଉଁରିଆ ଧାରଣ କରିଥିବା ବ୍ୟକ୍ତିଙ୍କ କାର୍ଯ୍ୟରେ କେବେ ବାଧା ଉପୁଜେ ନାହିଁ । ସମସ୍ତ ବିପଦରୁ ଜଣେ ଭକ୍ତକୁ ରକ୍ଷା କରେ ଏହି ଡେଉଁରିଆ । ଭକ୍ତର ବିଶ୍ୱାସର ଶକ୍ତି ଓ ମନୋବଳକୁ ମଧ୍ୟ ସୁଦୃଢ କରେ ସମସ୍ତ କାର୍ଯ୍ୟରେ ସଫଳତା ଆଣି ଦେଇଥାଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି । ବିଶ୍ୱାସରୁ ଜାତ ଭକ୍ତି । ଆଉ ଏହି ଭକ୍ତିର ଶକ୍ତି ହେଉଛନ୍ତି ମା’ ମଝି ଘରିଆଣି । ତେଣୁ ମା’ ମଝିଘରିଆଣିଙ୍କ ଆଶୀର୍ବାଦ ରୂପେ ଏହି ଡେଉଁରିଆକୁ ଗ୍ରହଣ କରାଯାଇଛି । ଯାହା ମା’ଙ୍କ ପ୍ରତି ଭକ୍ତଙ୍କ ବିଶ୍ୱାସକୁ ଆହୁରି ଦ୍ୱିଗୁଣିତ କରି ଦେଇଥାଏ ।

Get real time updates directly on you device, subscribe now.