fbpx

କୁଆଁରୀ ଝିଅଙ୍କୁ ଘର ଘର ବୁଲି ଖୋଜି ଯୌନଦାସୀ କରୁଛନ୍ତି ତାଲିବାନୀ, ଜବରଦସ୍ତ କରୁଛନ୍ତି ଏଭଳି କାଣ୍ଡ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ଯେତିକି ନିଜର ସୀମା ଅକ୍ତିଆର କରୁଛି, ଏହାର ଆତଙ୍କୀ ବାହିନୀ ସେତିକି ମାନବୀୟ ସୀମା ଲଂଘିବାରେ ଲାଗିଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ କ୍ଷମତା ଓ ଶାସନ ମୋହରେ ଅନ୍ଧ ତାଲିବାନୀମାନେ ମହିଳାଙ୍କୁ ଯୌନ ଦାସୀ କରିଦେଉଛନ୍ତି। ଜୋର ଜବରଦସ୍ତ ସେମାନଙ୍କ ହୁକୁମ୍‌ ମାନି ଚଳିବାକୁ କୁହାଯାଉଛି। ଫଳରେ ଆଫଗାନିସ୍ତାନରେ ମହିଳାଙ୍କ ଦୟନୀୟ ଅବସ୍ଥା ବଢ଼ିବାରେ ଲାଗିଛି। ଏପରିକି କୁଆଁରୀ ଝିଅଙ୍କୁ ଘର ଘର ଖୋଜି ଯୌନଦାସୀ କରୁଛନ୍ତି ତାଲିବାନୀ।

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ ତାଲିବାନୀ ଯୁବକଙ୍କ ପାଇଁ ଘରଘର ବୁଲି ବାଛି ବାଛି ଯୁବତୀ ଉଠାଇ ଆଣୁଛନ୍ତି। ଏପରିକି ସ୍ଥାନୀୟ ତାଲିବାନୀ ନେତାମାନେ ଗତ ମାସରେ ୧୨ ବର୍ଷୀୟା ଝିଅଠୁ ଆରମ୍ଭ କରି ୪୫ ବର୍ଷର ମହିଳାଙ୍କ ତାଲିକା ଯୋଗାଡ଼ କରିଥିଲେ। ଆଉ ଏବେ ଯୁବତୀ ଓ ମହିଳାଙ୍କୁ ଅପହରଣ କରାଯିବା ସହ ଜବରଦସ୍ତ ବିବାହ କରାଯାଉଛି। ଖାଲି ଏତିକି ନୁହେଁ, ପୁରୁଷ ସାଥୀ ନନେଇ ମହିଳାଙ୍କୁ ବାହାର ଯିବାରେ ଲାଗିଛି ପ୍ରତିବନ୍ଧକ। କଠୋରପନ୍ଥୀ ତଥା ବର୍ବର ଶିରିଆ କାନୁନ୍‌ ଚଳାଇଥିବା ଆତଙ୍କୀମାନେ ମହିଳାଙ୍କୁ ସର୍ବଦା ଢାଙ୍କି ହୋଇ ରହିବାକୁ (ହିଜାବ/ବୁର୍ଖା ପିନ୍ଧିବାକୁ) କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍କୁଲ୍‌ରେ ମହିଳା ପାଠ ପଢ଼ାଉଥିଲେ ହିଁ ଝିଅମାନେ ଯାଇପାରିବେ। ଏହି ନିୟମ ଉଲ୍ଲଂଘନ କଲେ ଅତି କଠୋର ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଛି।

ଏଭଳି ଆତଙ୍କ ଭୟରେ ମହିଳାମାନେ ଦେଶ ଛାଡ଼ି ପଳାଇବାକୁ ଉଦ୍ୟମ କରୁଛନ୍ତି। ସେଠାକାର ବାପାମାନଙ୍କୁ ଚିନ୍ତା ଘାରିଛି ଯେ ତାଲିବାନୀମାନେ ସେମାନଙ୍କ ଝିଅକୁ ଉଠାଇ ନେଇ ଯୌନ ଦାସୀ କରି ରଖିବେ। ଆଫଗାନିସ୍ତାନର ରାଷ୍ଟ୍ରୀୟ ନ୍ୟାୟ ପରିଷଦର ସଦସ୍ୟ ଫରଖୁଣ୍ଡା ଜହରା ନାଦେର୍‌ କହିଛନ୍ତି ଯେ ଦେଶରେ ନାଗରିକ ଅଧିକାର ବଡ଼ ସଂକଟରେ ପଡ଼ିଛି। ଏଥିସହ ମହିଳାଙ୍କ ସୁରକ୍ଷା ପାଇଁ ସେ ବଡ଼ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ତାଲିବାନୀ ଆତଙ୍କୀଙ୍କୁ ରୋକିବାରେ ଅସଫଳ ରହିଥିବା ସେନା ପ୍ରମୁଖ ଜେନେରାଲ୍‌ ୱଲି ମୋହମ୍ମଦ ଅହମଦଜାଇଙ୍କୁ ଘନି ସରକାର ପଦରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ଜେନେରାଲ୍‌ ହୈବତୁଲ୍ଲା ଅଲିଜାଇଙ୍କୁ ପରବର୍ତ୍ତୀ ସେନା ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି। ଦେଶର ୬୫ ପ୍ରତିଶତ ଆତଙ୍କୀଙ୍କ ଅକ୍ତିଆରରେ ଥିବାବେଳେ ସେନା ପ୍ରମୁଖଙ୍କୁ ପରିବର୍ତ୍ତନ କରିବା ଦେଶ ପାଇଁ କଣ ଫଳପ୍ରଦ ହେବ ତାହା ସମୟ କହିବ। କିନ୍ତୁ ମହିଳାଙ୍କ ସ୍ଥିତି ବଡ଼ ସଂକଟରେ ପଡ଼ିଛି।

Get real time updates directly on you device, subscribe now.