fbpx

(Video) ମଦନିଶାରେ ଶିକ୍ଷକ ହରାଇଲେ ହିତାହିତ ଜ୍ଞାନ: ମାଡ଼ ମାରି ମାରି ଭାଙ୍ଗିଦେଲେ ଛାତ୍ରର ହାଡ଼

ନବରଙ୍ଗପୁର(ଓଡ଼ିଶା ଭାସ୍କର): ଗୁରୁଙ୍କୁ ଭଗବାନ ଭାବେ ପୂଜା କରାଯାଉଥିବା ବେଳେ କିଛି ଲୋକଙ୍କ ଯୋଗୁଁ ଏହି ନାଁରେ କଳଙ୍କ ଲାଗୁଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡିପାଣି ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟରୁ ଏକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଶିକ୍ଷକଙ୍କ ମାଡରେ ଭାଙ୍ଗିଯାଇଛି ଛାତ୍ରଙ୍କ ହାଡ଼ ।

ତେବେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଭିମୁଖୀ କରିବା ପାଇଁ ବିଦ୍ୟାଳୟ ଗୁଡିକରେ ମନୋରଞ୍ଜନ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ସରକାର ସ୍କୁଲ ଗୁଡିକୁ ଦଣ୍ଡମୁକ୍ତ ଘୋଷଣା କରିଛନ୍ତି । କିନ୍ତୁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡିପାଣି ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟରେ ଏହାର ବିପରିତ ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଜଣେ ୭ମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ର ଓ ତାଙ୍କ ପରିବାର ।

ଛାତ୍ରର ବାପା ତ୍ରିଲୋଚନ ବାଘଙ୍କ କହିବା ଅନୁସାରେ ତାଙ୍କ ପୁଅ ଆଦିତ୍ୟ ବାଘ ଧୋଡିପାଣି ବିଦ୍ୟାଳୟରେ ସ୍କୁଲ ଛାତ୍ରା ବାସରେ ରୁହୁଥିଲେ । ଗତ ୧୧ ତାରିଖ ଦିନ ୨ ପିଲାଙ୍କ କଳିକୁ ନେଇ ସ୍କୁଲର ଜଣେ ଶିକ୍ଷକ ଶ୍ରୀ ଉମେଶ ଚନ୍ଦ୍ର ସୁନାନୀ ପୁଅକୁ ଏକ ପ୍ଲାଷ୍ଟିକ୍ ପାଇପରେ ମାଡ ମାରିଥିଲେ । ଶିକ୍ଷକ ଜଣକ ମଦ ପିଇ ଏ ଭଳି କାଣ୍ଡ ଘଟାଇ ଥିବା ଛାତ୍ର ପ୍ରକାଶ କରିଛି । ଫଳରେ ପିଲାଟିକୁ ବାମ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଏ ଖବର ପିଲାଙ୍କ ପରିବାରକୁ ମଧ୍ୟ ଦିଆଯାଇନଥିଲା । ସୌଭାଗ୍ୟବଶତଃ ଗତକାଲି ଉଭୟ ବାପା ଓ ମା ତାଙ୍କୁ ପୁଅକୁ ଦେଖିବା ପାଇଁ ସ୍କୁଲକୁ ଯିବା ବେଳେ ପିଲା କାନ୍ଦି କାନ୍ଦି ଘଟଣା ସଂକ୍ରାନ୍ତରେ କହିଥିଲେ । ଏହି ଘଟଣା ଜାଣିବା ପରେ ସେମାନେ ପ୍ରଧାନ ଶିକ୍ଷକ ଙ୍କ ନଜରକୁ ଆଣିଥିଲେ ଏବଂ ପିଲାକୁ ଘରକୁ ନେଇ ଆସିଥିଲେ ।

ତାଙ୍କ ପୁଅକୁ ନ୍ୟାୟ ପାଇଁ ଚନ୍ଦାହାଣ୍ଡି ଥାନାର ଦ୍ୱାରସ୍ଥ ହୋଇ ଥିବା ବେଳେ ବିଭିନ୍ନ ଚାପ ସୃଷ୍ଟି କରି କେସ ଉଠାଇ ନେବାକୁ କୁହାଯାଇଥିଲା ଏବଂ ରାଜିନାମା ମଧ୍ୟ ଜୋର ଜବରଦସ୍ତି କରାଯାଇଥିଲା । ଅନ୍ୟପଟେ ପିଲାଟିକୁ ଯନ୍ତ୍ରଣା ଅଧିକ ହେବାରୁ ବାପା ଆଜି ତାଙ୍କୁ ଉମରକୋଟର ଏକ ଘରୋଇ କ୍ଲିନିକ୍ କୁ ନେଇଥିଲେ, ଯେଉଁଠାରେ ପିଲାଟିର ହାତ ଭାଙ୍ଗିଯାଇଥିବା ଜଣାପଡିଛି । ବର୍ତ୍ତର୍ମାନ ସେ ପୁନର୍ବାର ଥାନାରେ ଅଭିଯୋଗ କରିବେ ଓ ଶିକ୍ଷକଙ୍କୁ ଉଚିତ ଦଣ୍ଡ ମିଳିବା ଆବଶ୍ୟକ ବୋଲି କହିଛନ୍ତିା ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯିବା ସହ ଶିକ୍ଷକଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.