fbpx

କାମ ଦେଲାନି ଭାରତର ବୋଲିଂ ଆଟାକ୍: ପ୍ରଥମ ପରାଜୟର ସାମନା କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତକୁ ମିଳିଛି ପ୍ରଥମ ପରାଜୟ । ବ୍ୟାଟିଂରେ ଦୁର୍ବଳ ପ୍ରଦର୍ଶନ ପରେ ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ ଭାରତର ଦୁର୍ବଳ ପ୍ରଦର୍ଶନ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚ ଉପରେ କବଜା କରିଛି ଦକ୍ଷିଣ ଆଫ୍ରିକା । ଡାଭିଡ ମିଲର ଏବଂ ମର୍କରମ ଯୋଡି ଭାରତ ହାତରୁ ଏହି ମ୍ରାଚକୁ ଛଡାଇ ନେଇଛନ୍ତି । ମାତ୍ର ୫ ୱିକେଟ ହରାଇ ଭାରତର ଛୋଟ ଟାର୍ଗେଟକୁ ହାସଲ କରି ନେଇଛି ସାଉଥ ଆଫ୍ରିକା । ଏହା ସହିତ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତକୁ ପ୍ରଥମ ପରାଜୟର ସାମନା କରାଇଛି ବାଭୂମା ସେନା ।

ଛୋଟ ଟାର୍ଗେଟ ଯୋଗୁଁ ଭାରତ ପକ୍ଷରୁ ଜବରଦସ୍ତ ବୋଲିଂ ଆରମ୍ଭ କରିଥିଲେ ଭୁବନେଶ୍ୱର ଏବଂ ଅର୍ଶଦୀପ । ମାତ୍ର ୨୪ ରନରେ ଦକ୍ଷିଣ ଆଫ୍ରିକାର ୩ଟି ୱିକେଟ ଅକ୍ତିଆର କରି ନେଇଥିଲେ ଉଭୟ ବୋଲର । କିନ୍ତୁ ଏହାପରେ ଚତୁର୍ଥ ୱିକେଟ ପାଇଁ ଡାଭିଡ ମିଲର ଏବଂ ଆଡେନ ମାର୍କରମଙ୍କ ମଧ୍ୟରେ ହୋଇଥିଲା ଏକ ବିଶାଳ ପାର୍ଟନରସିପ । ଯାହା ଭାରତ ପାଇଁ କାଳ ପାଲଟିଛି । ୭୬ ରନର ଏହି ଭାଗିଦାରୀ ଭାରତକୁ ପରାଜୟର ରାସ୍ତା ଦେଖାଇଛି । ତେବେ ୧୦୦ ରନରେ ମାର୍କରମ ୫୨ ରନ କରି ପାଭିଲିୟନ ଫେରିଥିବା ବେଳେ ଅପରାଜିତ ରହି ମ୍ୟାଚ ଜିତାଇଛନ୍ତି ଡାଭିଡ ମିଲର । ୪୬ ବଲରୁ ୫୯ ରନର ଏକ ମହତ୍ତ୍ୱପୂର୍ଣ୍ଣ ପାରି ଖେଳି ପୁଣିଥରେ ସେ ନିଜକୁ କିଲର ମିଲର ବୋଲି ପ୍ରମାଣ କରିଛନ୍ତି ।

ଅନ୍ୟ ପକ୍ଷରେ ଭାରତର ସବୁଠୁ ଅଭିଜ୍ଞ ଏବଂ ପ୍ରମୁଖ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱୀନ ଆଜି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ୪ ଓଭରରେ ୪୩ ରନ ବ୍ୟୟ କରି ଗୋଟିଏ ସଫଳତା ପାଇଛନ୍ତି ଅଶ୍ୱୀନ । ତାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଧିକ ରନ ଦେଇ ଆଫ୍ରିକାର ବିଜୟ ସହଜ କରି ଦେଇଥିଲେ । ଏହା ବ୍ୟତୀତ ଭାରତର ଦୁର୍ବଳ ଫିଲ୍ଡିଂ ମଧ୍ୟ ଦଳର ପରାଜୟର ପ୍ରମୁଖ କାରଣ ପାଲଟିଛି । ବିରାଟ କୋହଲି ମାର୍କରମଙ୍କର କ୍ୟାଚ ଛାଡିଥିବା ବେଳେ ରୋହିତ ଶର୍ମା ମଧ୍ୟ ସହଜ ରନ ଆଉଟ ହାତଛଡା କରିଛନ୍ତି । ଯାହାର ପରିଣାମ ଭାରତ ବିଶ୍ୱକପରେ ପ୍ରଥମ ପରାଜୟର ସାମନା କରିଛି । ଏହାପରେ ସେମି ଫାଇନାଲ ପାଇଁ ଯୁଦ୍ଧ କରିବାର ପରିସ୍ଥିତି ମଧ୍ୟ ଉପୁଜିପାରେ ।

Get real time updates directly on you device, subscribe now.