fbpx
BSKY
BJD YOUTH SKY
BJD MS SKY

ଓଭାଲ ଟେଷ୍ଟରେ ବିପଦରେ ଭାରତ, ଓଭର ପିଛା ୩.୬୨ ହାରରେ ରନ କଲେ ଇଂଲଣ୍ଡର ବିଜୟ ସୁନିଶ୍ଚିତ !

ଓଭାଲ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭାଲରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ନାଟକୀୟ ମୋଡରେ ପହଞ୍ଚି ଯାଇଛି । ସୋମବାର ହେଉଛି ମ୍ୟାଚର ପଞ୍ଚମ ତଥା ଶେଷ ଦିନ । ଅନ୍ତିମ ଦିନରେ ମ୍ୟାଚ୍ ଜିତିବାକୁ ଇଂଲଣ୍ଡକୁ ୨୯୧ ରନ ଦରକାର ଥିବା ବେଳେ ଭାରତକୁ ଦରକାର ୧୦ ୱିକେଟ୍ । ଭାରତ ଘରୋଇ ଇଂଲଣ୍ଡକୁ ୩୬୮ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି । ଜବାବରେ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ବିନା କ୍ଷତିରେ ୭୭ ରନ କରି ନେଇଛି । ପଞ୍ଚମ ଦିନରେ ମୁକାବିଲା ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ଗତ ୨୦ ବର୍ଷରେ ଅର୍ଥାତ ୨୦୦୧ ଜାନୁଆରୀ ୧ରୁ ଏ ପର୍ଯ୍ୟନ୍ତ ଯଦି ରେକର୍ଡ ଉପରେ ନଜର ପକାଇବା ତେବେ ଦୁନିଆର ୩୨ ପଡିଆରେ ଅତି କମରେ ୮ ଟେଷ୍ଟ ଖେଳାଯାଇଛି । ଏଥିରେ ଓଭାଲର ମଇଦାନ ମଧ୍ୟ ସାମିଲ। ଏହି ମ୍ୟାଚ୍ ପୂର୍ବରୁ ଓଭାଲରେ ମୋଟ୍ ୧୨ ଟେଷ୍ଟ ଖେଳା ଯାଇଛି । ଏଥିରୁ ୯ଟି ମ୍ୟାଚରେ ଫଳାଫଳ ବାହାରିଥିବା ବେଳେ ୩ଟି ମୁକାବିଲା ଡ୍ର ରହିଛି । ଚତୁର୍ଥ ଇନିଂସରେ ଏଠାରେ ବ୍ୟାଟିଂ ହାର ୩୭ ରହିଛି । ଯାହା ଦୁନିଆର ଦ୍ୱିତୀୟ ଶ୍ରେଷ୍ଠ ବ୍ୟାଟିଂ ହାର । ଏହି ପଡିଆରେ ଚତୁର୍ଥ ଇନିଂସରେ ୩.୬୨ ହାରରେ ରନ ହୋଇଛି । ଅର୍ଥାତ ଓଭର ପିଛା ୩.୬୨ ରନ ।

ଇଂଲଣ୍ଡକୁ ଅନ୍ତିମ ଦିନରେ ଦରକାର ୨୯୧ ରନ । ପଞ୍ଚମ ଦିନରେ ଅତି କମରେ ୯୦ ଓଭର ଖେଳାଯିବ । ଯଦି ଗତ ୨୦ ବର୍ଷର ଓଭାଲରେ ଚତୁର୍ଥ ଇନିଂସର ରନରେଟ୍ ଦେଖାଯାଏ ତେବେ ଇଂଲଣ୍ଡ ୮୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେବ । ଏହି ମଇଦାନରେ ଚତୁର୍ଥ ଇନିଂସରେ ସବୁଠୁ ବଡ ସ୍କୋର ୩୬୯ ରନ ରହିଛି । ଇଂଲଣ୍ଡ ଏହି କାରନାମା ଭାରତ ବିପକ୍ଷରେ ହିଁ କରିଥିଲା । ଅନ୍ୟପଟେ ଏହି ପଡିଆରେ ଚତୁର୍ଥ ଇନିଂସରେ ସର୍ବନିମ୍ନ ସ୍କୋର ୨୫୨ ରହିଛି । ଏହା ଦୁନିଆର ସମସ୍ତ ୩୧ ମଇଦାନ ମଧ୍ୟରୁ ଭଲ ।

ଦ୍ୱିତୀୟ ସ୍ପିନରଙ୍କ ଅଭାବ ଅନୁଭୂତ ହେବ ଭାରତକୁ

ଭାରତୀୟ ଦଳକୁ ମ୍ୟାଚରେ ଦ୍ୱିତୀୟ ସ୍ପିନରଙ୍କ ଅଭାବ ଅନୁଭୂତ ହେବ । ଟେଷ୍ଟ କ୍ରିକେଟରେ ୪୦୦ରୁ ଅଧିକ ୱିକେଟ୍ ନେଇଥିବା ଅଫ ସ୍ପିନର ଆର ଅଶ୍ୱିନ ସିରିଜରେ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାନ୍ତି । ଭାରତ କେବଳ ଜଣେ ସ୍ପିନରଙ୍କୁ ନେଇ ମଇଦାନକୁ ଓହ୍ଲାଇଛି । ରବୀନ୍ଦ୍ର ଜାଡେଜାଙ୍କ ଯଦି ଆଲୋଚନା କରାଯାଏ ତେବେ ସେ ସିରିଜରେ ଅଦ୍ୟାବଧି ବୋଲିଂରେ କିଛି ଖାସ୍ ପ୍ରଦର୍ଶନ କରି ପାରି ନାହାନ୍ତି । ପ୍ରଥମ ଇନିଂସରେ ତାଙ୍କୁ ୨ଟି ସଫଳତା ମିଳିଥିଲା । ଅଶ୍ୱିନଙ୍କୁ ନଖେଳାଇବା ନେଇ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ମଧ୍ୟ ଉଠୁଛି । ଜାଡେଜା ଦ୍ୱିତୀୟ ଇନିଂସରେ ଏ ପର୍ଯ୍ୟନ୍ତ ୧୩ ଓଭର ବୋଲିଂ କରିଛନ୍ତି ଏବଂ ତାଙ୍କୁ ଗୋଟିଏ ହେଲେ ୱିକେଟ୍ ମିଳିନାହିଁ ।

Get real time updates directly on you device, subscribe now.