ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଶନିଦଶା: WTA ଫାଇନାଲ କେମିତି ଖେଳିବ, ତୃତୀୟ ଟେଷ୍ଟ ଜିତିବା ନିହାତି ଜରୁରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଘରୋଇ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହାସଲ କରି ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ ଜିତିଲେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିଏ) ଫାଇନାଲ ଖେଳିବାକୁ ନିଜର ସ୍ଥାନ ପକ୍କା କରିବ । ପଏଣ୍ଟ ଟେବୁଲ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ୬୬.୬୭ ପଏଣ୍ଟ ସହିତ ଟପରେ ରହିଛି । ତା’ ତଳକୁ ଭାରତ ୬୪.୦୬ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।

ଡବ୍ଲ୍ୟୁଟିଏ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ଆଜିର ମ୍ୟାଚରେ ବିଜୟୀ ହେବା ଜରୁରୀ । ଶେଷ ଦୁଇଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ଜିତିପାରିଲେ ଭାରତ ଫାଇନାଲ ଖେଳିପାରିବ । ଚଳିତ ବର୍ଷ ଜୁନ ୭ ତାରିଖରେ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଡବ୍ଲ୍ୟୁଟିଏ ଫାଇନାଲ ଖେଳାଯିବ । ୨୦୨୧-୨୩ ସିଜିନରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପଏଣ୍ଟସ୍ ସିଷ୍ଟମରେ କିଛି ପରିବର୍ତ୍ତନ କରିଛି । ମ୍ୟାଚ ଜିତିଲେ ୧୨ ଅଙ୍କ, ଟାଇ ହେଲେ ୬, ଡ୍ର ହେଲେ ୪ ଓ ହାରିଲେ କୌଣସି ଅଙ୍କ ମିଳିବ ନାହିଁ ।

ତେବେ ଏହା ମଧ୍ୟରେ ଆଜିର ମ୍ୟାଚରେ ଭାରତକୁ ଲାଗିଛି ବଡ଼ ଝଟକା । ମାତ୍ର ୮୮ ରନରେ ଟିମ୍ ଇଣ୍ଡିଆର ୮ଟି ୱିକେଟ ପତ୍ତନ ଘଟିଛି । ତେଣୁ ଆଜି ଦିନର ଖେଳ ସମାପ୍ତ କରିବା ପାଇଁ ରୋହିତ ବାହିନୀ ପାଇଁ କାଠିକର ପାଠ ହୋଇପାରେ । ପ୍ରଥମ ଦୁଇଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରିବା ପରେ ଟିମ୍ ଇଣ୍ଡିଆର ମନୋବଳ ବୃଦ୍ଧି ପାଇଥିବା ବେଳେ ତୃତୀୟ ମ୍ୟାଚରେ ପୁଣି ଦେଖିବାକୁ ମିଳିଛି ପୁରୁଣା ଭୁଲ୍ । ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ ୨୫ ରନ ଟପିପାରି ନାହାନ୍ତି । ବିରାଟ କୋହଲି ସର୍ବାଧବକ ୨୨ ରନ୍ କରି ଆଉଟ୍ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ କୁହ୍ନେମ୍ୟାନ ଓ ନାଥନ ଲାୟର ଉଭେୟ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।