fbpx

ବିଶ୍ୱକପରେ ଟିମ୍ ଇଣ୍ଡିଆ ହାରି ମଧ୍ୟ ହିରୋ ପାଲଟିଛି; ପାକିସ୍ତାନ କ୍ରିକେଟର ୱାସିମ ଆକ୍ରମ

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ଟିମ୍ ଇଣ୍ଡିଆର ବିଶ୍ୱକପ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଯାହାକୁ ନେଇ ସାରା ଦେଶରେ ଦୁଃଖର ବାତାବରଣ ସାଙ୍ଗକୁ ନୀରବତା ମଧ୍ୟ ଦେଖା ଦେଇଛି । କିନ୍ତୁ ଭାରତର ପ୍ରଦର୍ଶନକୁ ନେଇ ବିଦେଶରେ ଖୁବ ଚର୍ଚ୍ଚା ଦେଖିବାକୁ ମିଳୁଛି । ଏପରିକି ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଖେଳାଳିଙ୍କ ମୁହଁରୁ ମଧ୍ୟ ଭାରତର ପ୍ରଶଂସା ଦେଖିବାକୁ ମିଳିଛି । ପାକିସ୍ତାନର ଦ୍ରୁତ ବୋଲର ୱାସିମ ଆକ୍ରମ ଭାରତୀୟ ଦଳର ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ଆକ୍ରମ ଭାରତୀୟ କ୍ରିକେଟକୁ ପ୍ରଶଂସା କରି କହିଛନ୍ତି ଯେ, ପଡୋଶୀ ଦେଶ(ହିନ୍ଦୁସ୍ତାନ)ର କ୍ରିକେଟ ଭଲ ସ୍ଥିତିରେ ଅଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ଭାରତ ବିଶ୍ୱକପ ଜିତିବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲେ ବି ଟିମ ଇଣ୍ଡିଆ ହାରି ମଧ୍ୟ ହିରୋ ପାଲଟିଛି।

ଭାରତୀୟ ଦଳକୁ ସାନ୍ତ୍ୱନା ଦେବାକୁ ଯାଇ ଆକ୍ରମ କହିଛନ୍ତି, ଫାଇନାଲରେ ହାରିଯିବାରୁ ଟିମ ଇଣ୍ଡିଆର ସଦସ୍ୟ ହୁଏତ ଭାଙ୍ଗି ଯାଇଥାଇ ପାରନ୍ତି କିନ୍ତୁ କ୍ରିକେଟରେ ଏଭଳି ଘଟଣା ଘଟିଥାଏ। ଟିମ ଇଣ୍ଡିଆ ପାଇଁ ଖରାପ ଦିନ ଥିଲା ଏବଂ ଦୁର୍ଭାଗ୍ୟବଶତଃ ଦଳ ଫାଇନାଲରେ ହାରିଛି। କିନ୍ତୁ ଟିମ ଇଣ୍ଡିଆର ଗଠନ, ଖେଳାଳିଙ୍କ ପାଇଁ ଟଙ୍କା, ସ୍ମାର୍ଟ କାର୍ୟ୍ୟସୂଚୀ ଏବଂ ବ୍ୟାକଅପ ପ୍ରତିଭା ଉଚ୍ଚକୋଟୀର ରହିଛି। ଟିମ ଇଣ୍ଡିଆ ଏସବୁକୁ ଜାରି ରଖିବା ଆବଶ୍ୟକ। ଟିମ ଇଣ୍ଡିଆର କ୍ରିକେଟ ବହୁତ ଭଲ ଅବସ୍ଥାରେ ଅଛି।

ତେବେ ଏଠାରେ କହି ରଖୁଛୁ ଯେ, କ୍ରିକେଟ ଏକ ଅନିଶ୍ଚିନ୍ତ ଖେଳ। କେତେବେଳେ କଣ ହେବ କିଛି କହି ହେବନି। ଖେଳରେ ସବୁବେଳେ ହାରଜିତ ଲାଗିରହିଥାଏ। ଭାରତ ୨୦୨୩ ବିଶ୍ୱକପର କ୍ରମାଗତ ୧୦ଟି ମ୍ୟାଚରେ ବିଜୟ ହୋଇ ଅପରାଜେୟ ରହିଥିବା ବେଳେ କେବଳ ଗୋଟିଏ ମ୍ୟାଚରେ ପରାସ୍ତ ହୋଇ ବିଶ୍ୱ ଚାମ୍ପିୟନ ହେବାରୁ ବଞ୍ଚିତ ହୋଇଛି । ସାରା ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟାଟିଂ ଓ ବୋଲିରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ବେଳେ ଫାଇନାଲରେ ଭାଗ୍ୟ ଭାରତକୁ ସାଥ ଦେଇନାହିଁ । ଫାଇନାଲ ଭାରତ ପାଇଁ ଏକ ଖରାପ ଦିନ ଥିଲା, ଯେଉଁଥି ପାଇଁ ଭାରତ ମ୍ୟାଚ ହାରିଗଲା ବୋଲି ଆମ ସମସ୍ତଙ୍କୁ ଭାବିନେବାକୁ ପଡ଼ିବ ।

Get real time updates directly on you device, subscribe now.