fbpx

Test ନା T20… ଟେଷ୍ଟ ଫର୍ମାଟରେ T-20 ଖେଳୁଛି ଟିମ ଇଣ୍ଡିଆ: ବାଂଲାଦେଶ ଦେଖିଲା ରୋହିତ ସେନାର ରୌଦ୍ର ରୂପ

ନୂଆଦିଲ୍ଲୀ: କାନପୁର ଟେଷ୍ଟରେ ବାଂଲାଦେଶୀ ବୋଲରଙ୍କ ଉପରେ ଭାରତୀୟ ବ୍ୟାଟର ବୃଷ୍ଟିପାତ କରିଛନ୍ତି । ପ୍ରଥମ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରି ୫୨ ରନ ଅଗ୍ରଣୀ ହାସଲ କରିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ, ଯଶସ୍ୱୀ, କୋହଲି ଏବଂ କେଏଲ ରାହୁଲଙ୍କ ଧମାକାରେ ବାଂଲାଦେଶ ମ୍ୟାଚରେ ବ୍ୟାକଫୁଟରେ ଫସି ଯାଇଛି । ବାଂଲାଦେଶର ୨୩୩ ରନ୍ ପିଛା କରି ଟିମ ଇଣ୍ଡିଆ ବାଜବଲ୍ କ୍ରିକେଟର ଜଲୱା ଦେଖାଇଛି । ମାତ୍ର ୩୪.୪ ଓଭରରେ ଏହି କାରନାମା କରି ଦେଖାଇଛି ରୋହିତ ସେନା । ଏହି ମ୍ୟାଚରେ ଦଳ ଟେଷ୍ଟ ଇତିହାସର ଦ୍ରୁତତମ ୫୦, ୧୦୦, ୧୫୦ ଏବଂ ୨୦୦ ରନ୍ ସଂଗ୍ରହ କରି ବିଶାଳ ରେକର୍ଡ ସୃଷ୍ଟି କରିଛି ।

ଦ୍ରୁତତମ ଶତକ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଟିମ ଇଣ୍ଡିଆ ନିଜର ପୁରୁଣା ରେକର୍ଡ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିଛି । ଟେଷ୍ଟରେ ଦ୍ରୁତତମ ଦଳଗତ ଶତକ ଏବଂ ୧୫୦ ରନ୍ ହାସଲ କରିବାରେ ଭାରତ ନିଜ ରେକର୍ଡ ଧୂଳିସାତ୍ କରିଛି । ଟିମ ଇଣ୍ଡିଆର ଇନିଂସ ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଏବଂ ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ । ଏହି ମ୍ୟାଚରେ ରୋହିତ ଏବଂ ଜଏସ୍ୱାଲ ନିଜର ଟି-୨୦ ରୂପ ଦେଖାଇଛନ୍ତି । ଭାରତ ମାତ୍ର ୧୦.୧ ଓଭର(ଟେଷ୍ଟ କ୍ରିକେଟରେ ସବୁଠାରୁ ଦ୍ରୁତତମ)ରେ ଶତକ ହାସଲ କରିଛି । ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ(୨୦୨୩)ରେ ଭାରତ ୧୨.୨ ଓଭରରେ ଏହି ଉପଲବ୍ଧି ହାସଲ କରିଥିଲା । ତେବେ ଟେଷ୍ଟରେ ଦ୍ରୁତତମ ଶତକ ହାସଲ କରିବାରେ ନିଜ ରେକର୍ଡ ନିଜେ ଅତିକ୍ରମ କରିଛି ରୋହିତ ସେନା ।

ଦ୍ରୁତତମ ୧୫୦ ରନ୍: ରୋହିତ ଏବଂ ଜଏସ୍ୱାଲଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଋଷଭ ପନ୍ତ, ଗିଲ୍ ଏବଂ ବିରାଟ କୋହଲି ମିଶି ଭାରତକୁ ୧୫୦ ରନ୍ ଲ୍ୟାଣ୍ଡମାର୍କ ଅତିକ୍ରମ କରିଥିଲେ । ୧୫୦ ରନ୍ କରିବା ମାତ୍ରେ ଭାରତ ଆଉ ଏକ ମାଇଲଷ୍ଟୋନ୍ ନିଜ ନାମରେ କରିନେଇଛି । ମାତ୍ର ୧୮.୨ ଓଭରରେ ୧୫୦ ରନ୍ କରି ଦ୍ରୁତତମ ୧୫୦ ରନ କରିବାରେ ମଧ୍ୟ ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ୨୧.୧ ଓଭରରେ ଭାରତ ୧୫୦ ରନ୍ କରି ରେକର୍ଡ କରିଥିଲା ।

ଦ୍ରୁତତମ ଦ୍ୱିଶତକ: ଟେଷ୍ଟ କ୍ରିକେଟରେ ଦ୍ରୁତତମ ୫୦, ୧୦୦ ଏବଂ ୧୫୦ ମାଇଲଷ୍ଟୋନ୍ ସୃଷ୍ଟି କରିବା ପରେ ଭାରତ ଦ୍ରୁତତମ ଦ୍ୱିଶତକ ମଧ୍ୟ ନିଜ ନାମରେ କରିଛି । ମାତ୍ର ୨୪.୨ ଓଭରରେ ରାହୁଲ ଏବଂ କୋହଲିଙ୍କ ଭାଗିଦାରୀ ସମୟରେ ଭାରତ ଏହି ମାଇଲଷ୍ଟୋନ୍ ନିଜ ନାମରେ କରିଛି । ତେବେ ଏହାସହିତ ଅଷ୍ଟ୍ରେଲିଆର ଦ୍ରୁତତମ ଦ୍ୱିଶତକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି ରୋହିତ ସେନା । ଅଷ୍ଟ୍ରେଲିଆ ପାକିସ୍ତାନ ବିପକ୍ଷ ସିଡନୀ ମ୍ୟାଚ୍(୨୦୧୭)ରେ ୨୮.୧ ଓଭର ଖେଳି ଟେଷ୍ଟ କ୍ରିକେଟର ଦ୍ରୁତତମ ଦ୍ୱିଶତକ ହାସଲ କରିଥିଲା ।

ଇଂଲଣ୍ଡର ବାଜବଲ୍ କ୍ରିକେଟ ଫର୍ମାଟରେ ଭାରତ ଟେଷ୍ଟ ଜର୍ସିରେ ଟି-୨୦ ମ୍ୟାଚ୍ ଖେଳିଛି । ୯ ରନ୍ ହାରରେ ବ୍ୟାଟିଂ କରି ଭାରତ ୨୮୫ ରନ୍ ସଂଗ୍ରହ କରିଛି ରୋହିତ ସେନା । ମାତ୍ର ୫୧ ବଲରୁ ୨ଟି ଛକା ଏବଂ ୧୨ଟି ଚୌକା ସହ ଯଶସ୍ୱୀ ୭୨ ରନ୍ କରିଥିବା ବେଳେ ରୋହିତ ୧୧ ବଲରୁ ୩ଟି ଛକା ଏବଂ ଗୋଟିଏ ଚୌକା ସହ ୨୩ ରନ୍ କରିଛନ୍ତି । ଏହାପରେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ବିରାଟ ଏବଂ କେ.ଏଲ ରାହୁଲ । ବିରାଟ(୪୭) ଦମଦାର ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିବା ବେଳେ ରାହୁଲ ୪୩ ବଲରୁ ୭ଟି ଚୌକା ଏବଂ ୨ଟି ଛକା ସହ ୬୮ ରନ୍ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.