fbpx

ଫେଲ ମାରିଲେ ଭାରତୀୟ ବ୍ୟାଟ୍ସମ୍ୟାନ: ଦକ୍ଷିଣ ଆଫ୍ରିକାକୁ ମିଳିଲା ୧୩୪ ରନର ଟାର୍ଗେଟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ତୃତୀୟ ମ୍ୟାଚରେ ଭାରତର ସବୁଠୁ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି । ବ୍ୟାଟିଂ ଅର୍ଡରକୁ ମଜବୁତ କରିବାକୁ ଯାଇ ଫେଲ ମାରିଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା । ସାଉଥ ଆଫ୍ରିକାର ବୋଲିଂ ଆଗରେ ଭାରତର କୌଣସି ଖେଳାଳି ତିଷ୍ଠି ପାରି ନାହାନ୍ତି । ଫଳରେ ସାଉଥ ଆଫ୍ରିକାକୁ ୨୦ ଓଭରରେ ମାତ୍ର ୧୩୪ ରନର ଛୋଟ ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଫଳପ୍ରଦ ହୋଇପାରିନି । ଦଳର ବ୍ୟାଟିଂ ଅର୍ଡରଙ୍କୁ ମଜବୁତ କରିବା ପାଇଁ ସେ ଆଜିର ମ୍ୟାଚରେ ଅକ୍ସର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ସ୍ଥାନ ଦେଇଥିଲେ । କିନ୍ତୁ ସେ ମଧ୍ୟ ନିରାଶ କରିଛନ୍ତି । ସେପଟେ ପୂର୍ବ ମ୍ୟାଚ ଭଳି ରାହୁଲ ଆଜି ମଧ୍ୟ ଦଳ ପାଇଁ ଖାଲି ହାତର ଫେରିଛନ୍ତି । ମାତ୍ର ୯ ରନ କରି ପାଭିଲିୟନ ଫେରିଛନ୍ତି ରାହୁଲ । ତାଙ୍କ ବ୍ୟତୀତ ଅଧିନାୟକ ରୋହିତ ଏବଂ ଦିନେଶ କାର୍ତ୍ତିକ ମଧ୍ୟ ବିଫଳ ହୋଇଛନ୍ତି । ତେବେ ବିଶ୍ୱକପରେ ସବୁଠୁ ଭଲ ଫର୍ମରେ ରହିଥିବା ବିରାଟ କୋହଲି ୧୨ ରନ କରି ଆଉଟ ହୋଇ ଯାଇଛନ୍ତି ।

ତେବେ ଆଫ୍ରିକାର ବୋଲିଂ ଆଗରେ ଭାରତର ବ୍ୟାଟିଂ ଅର୍ଡର ଫେଲ ମାରିଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ଟାର୍ଗେଟ ଦେଇଛ ଭାରତ । ଏନରିଚ ନୋକିଆ ଏବଂ ୱେନ ପାର୍ଣ୍ଣେଲଙ୍କ ଖତରନାକ ବୋଲିଂ ଆଗରେ ଭାରତର ସମସ୍ତ ବ୍ୟାଟ୍ସମ୍ୟାନ ହାତ ଟେକି ଦେଇଥିଲେ । ଏମିତି କି କେବଳ ୩ ଜଣ ଖେଳାଳି ୨ ଅଙ୍କ ଚୁଇଁବାରେ ସଫଳ ହୋଇଛନ୍ତି । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଏକା ଦକ୍ଷିଣ ଆଫ୍ରିକା ବୋଲିଂ ଆଗରେ ଲଢେଇ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି । ଘଡିସନ୍ଧି ମୁହୂର୍ତ୍ତରେ ୪୦ ବଲରୁ ୬୮ ରନ ସଂଗ୍ରହ କରିଛନ୍ତି ।

ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଦିକ ୱିକେଟ ନେଇଛନ୍ତି କମବ୍ୟାକ କରୁଥିବା ଲୁଙ୍ଗି ଏନଗିଡି । ୪ ଓଭରରେ ୨୯ ରନ ଦେଇ ୪ଟି ସଫଳତା ସେ ହାସଲ କରିଛନ୍ତି । ତାଙ୍କ ସହିତ ୱେନ ପାର୍ଣ୍ଣେଲ ମଧ୍ୟ ଭାରତର ବ୍ୟାଟିଂ ଅର୍ଡରକୁ ଧୂଳିସାତ କରିଛନ୍ତି । ୧୫ ରନ ବ୍ୟୟରେ ୩ଟି ୱିକେଟ ନେଇ ସେ ଭାରତର ମିଡିଲ ଅର୍ଡରକୁ ଦୋହଲାଇ ଦେଇଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ବିଜୟ ପାଇଁ ୧୩୪ ରନର ଆବଶ୍ୟକ ରହିଛି ।

Get real time updates directly on you device, subscribe now.