fbpx

ବର୍ଷା କାରଣରୁ ଟିମ୍ ଇଣ୍ଡିଆ ସଙ୍କଟରେ ପଡ଼ିବ ନା ଫାଇଦାରେ ରହିବ

ନୂଆଦିଲ୍ଲୀ: ପୁଣି ଥରେ ଏସିଆ କପରେ ବର୍ଷା ସାଜିଛି ବାଧକ । ପୂର୍ବରୁ ଭାରତ-ପାକିସ୍ତାନ ଗ୍ରୁପ ମ୍ୟାଚରେ ବର୍ଷା ବାଧକ ସାଜିଥିବା ବେଳେ ସୁପର-୪ରେ ମଧ୍ୟ ବର୍ଷା ହୋଇଛି । ପାକିସ୍ତାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ୨୪.୧ ଓଭରରେ ଦୁଇଟି ୱିକେଟ ହରାଇ ୧୪୭ ରନ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୬ ଓ ଶୁବମନ ଗିଲ ୫୮ ରନ୍ କରି ଆଉଟ୍ ହୋଇଯାଇଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଅଧିକାଂଶ ସମୟରେ ବର୍ଷା ବାଧକ ସାଜୁଥିବା ଦେଖାଯାଉଛି । ଗତଥର ବର୍ଷା କାରଣରୁ ଉଭୟ ଭାରତ-ପାକିସ୍ତାନ ୧-୧ ପଏଣ୍ଟ ଭାଗ କରିନେଇଥିଲେ । ଆଜି ଯଦି ବର୍ଷା ନ ଛାଡ଼େ ତେବେ ପୁଣି ଦୁହେଁ ପଏଣ୍ଟ ଭାଗ କରିବେ । ଯଦି ବର୍ଷା କିଛି ସମୟ ପରେ ଛାଡ଼ିଯାଏ ତେବେ ଓଭର ହ୍ରାସ କରାଯାଇପାରେ । ଏପରିକି ପାକିସ୍ତାନକୁ ମଧ୍ୟ କିଛି ରନ୍ ଟାର୍ଗେଟ୍ ଦିଆଯାଇପାରେ । ଏଭଳି ସ୍ଥିତିରେ ଟାର୍ଗେଟ୍ ଭାରତ ପାଇଁ ସଙ୍କଟ ସୃଷ୍ଟି କରିପାରେ । କାରଣ କମ୍ ଓଭରରେ କୌଣସି ଛୋଟ୍ ଟାର୍ଗେଟ୍ ପିଛା କରିବା ଅଧିକାଂଶ ଟିମ୍ ପାଇଁ ଅପେକ୍ଷାକୃତ ସହଜସାଧ୍ୟ ହୋଇପାରେ ।

ଆଜିର ମ୍ୟାଚକୁ ଛାଡ଼ି ସୁପର-୪ର ଆଉ ୩ଟି ମ୍ୟାଚ ବାକି ଅଛି । ଆସନ୍ତା ୧୨ରେ ଇଣ୍ଡିଆ-ଶ୍ରୀଲଙ୍କା, ୧୪ରେ ପାକିସ୍ତାନ-ଶ୍ରୀଲଙ୍କା ଓ ୧୫ରେ ଇଣ୍ଡିଆ-ବାଂଲାଦେଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ତେବେ ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ମଧ୍ୟ ବର୍ଷା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ତେଣୁ ବର୍ଷା ପାଇଁ ପଏଣ୍ଟ ଭାଗ ହେବା ପରିସ୍ଥିତି ସୃଷ୍ଟି ହୋଇପାରେ । ନଚେତ୍ ଅଳ୍ପ ସମୟ ବର୍ଷା ହୋଇ ମ୍ୟାଚ ପୁଣି ଆରମ୍ଭ ହେଲେ ତାହା ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦଳକୁ ଫାଇଦା ଦେଇପାରେ । କାରଣ ଏଭଳି ସ୍ଥିତିରେ କମ୍ ଓଭରରେ ରନ୍ ଟାର୍ଗେଟ୍ ଦିଆଯାଇଥାଏ ।

ପଏଣ୍ଟସ ଟେବୁଲରେ ଏବେ ପାକିସ୍ତାନ ଗୋଟିଏ ମ୍ୟାଚ ଜିତି ୨ ପଏଣ୍ଟ ସହ ୧.୦୫୧ ନେଟ୍ ରନରେଟ୍ ହାସଲ କରିଛି । ସେହିପରି ଶ୍ରୀଲଙ୍କା ମଧ୍ୟ ଗୋଟିଏ ମ୍ୟାଚ ଜିତି ୨ ପଏଣ୍ଟ ସହ ୦.୪୨୦ ନେଟ୍ ରନରେଟ୍ ହାସଲ କରିଛି । ବାଂଲାଦେଶ ୨ଟି ମ୍ୟାଚରୁ ୨ଟି ପରାଜୟବରଣ କରି ଶୂନ ପଏଣ୍ଟ ସହ ମାଇନସ ୦.୭୪୯ ରନରେଟରେ ରହିଛି । ଅନ୍ୟପକ୍ଷରେ ଆଜି ଭାରତ ସୁପର-୪ରେ ତା’ର ପଏଣ୍ଟ, ରନରେଟ ଖୋଲିବାକୁ ଯାଉଛି ।

Get real time updates directly on you device, subscribe now.