fbpx

ଦକ୍ଷିଣ ଆଫ୍ରିକା ଦେଖିଲା ଡବଲ ଧମାକା: ପ୍ରଥମ ମ୍ୟାଚର ବଦଲା ନେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ଦଳଠାରୁ ଜବରଦସ୍ତ ଷ୍ଟାଇଲରେ ବଦଲା ନେଇଛି ଟିମ ଇଣ୍ଡିଆ । ଦ୍ୱିତୀୟ ଦିନିକିଆରେ ଆଜି ଡବଲ ଧମାକା ଦେଖାଇଛନ୍ତି ଶ୍ରେୟସ ଅୟର ଏବଂ ଇଶାନ କିଶାନ । ଦମଦାର ବ୍ୟାଟିଂ ବଳରେ ଅତିଥି ଦଳ ହାତରୁ ମ୍ୟାଚ ଛଡାଇ ଆଣିଛନ୍ତି । ଏଥିସହ ପ୍ରଥମ ମ୍ୟାଚରେ ସାମନା କରିଥିବା ପରାଜୟର ପ୍ରତିଶୋଧ ନେଇଛି ମେନ ଇନ ବ୍ଲୁ । ଶ୍ରେୟସ ଆୟର ଏହି ମ୍ୟାଚରେ ଧୂଆଁଧାର ଶତକ ମାରିଥିବା ବେଳେ ମାତ୍ର ୭ ରନରେ ନିଜ ଶତକରୁ ବଞ୍ଚିଯାଇଛନ୍ତି ଷ୍ଟାର ପ୍ଲେୟର ଇଶାନ କିଶାନ । ତେବେ ଶେଷରେ ମ୍ୟାଚକୁ ୭ ୱିକେଟରେ ଜିତି ସିରିଜକୁ ୧-୧ରେ କରିଛି ଶିଖର ସେନା ।

୨୭୯ ରନର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲେ ଟିମ ଇଣ୍ଡିଆର ଅଧିନାୟକ ଶିଖର ଧୱନ ଏବଂ ଶୁଭମନ ଗିଲ । କିନ୍ତୁ ଉଭୟଙ୍କ ବ୍ୟାଟରୁ କିଛି ଭଲ ଇନିଂସ ଦେଖିବାକୁ ମିଳି ନଥିଲା । ଫଳରେ ୧୩ ରନରେ ଶିଖର ଏବଂ ମାତ୍ର ୨୮ ରନ କରି ପାଭିଲିୟନ ଫେରିଥିଲେ ଶୁଭମନ ଗିଲ । ଏହାପରେ ଦକ୍ଷିଣ ଆଫ୍ରିକା ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ବାଜି ପଲଟାଇ ଦେଇଥିଲେ ଶ୍ରେୟସ ଆୟର ଏବଂ ଇଶାନ କିଶାନ ଯୋଡି । କ୍ରିଜରେ ଜମି ରହିବା ସହିତ ଦକ୍ଷିଣ ଆଫ୍ରିକାର ସମସ୍ତ ବୋଲରଙ୍କ ଉପରେ ଉଭୟ ଖେଳାଳି ଭାରି ପଡିଛନ୍ତି । ତେବେ ନିଜ ଶତକ ଆଡକୁ ବଢୁଥିବା ବେଳେ ମାତ୍ର ୭ ରନ ପଛରେ ରହି ଯାଇଛନ୍ତି ଇଶାନ କିଶାନ । ୯୩ ରନରେ ଫରଟୁଇନଙ୍କ ବଲରେ ହେଣ୍ଡ୍ରିକ୍ସଙ୍କୁ କ୍ୟାଚ ଦେଇ ସେ ଆଉଟ ହୋଇଯାଇଥିଲେ ।

କିନ୍ତୁ ଦଳକୁ ବିଜୟର ରାସ୍ତାରେ ଖୁବ ଆଗକୁ ନେଇ ସାରିଥିଲେ ଇଶାନ । ସେପଟେ ଶ୍ରେୟସ ମଧ୍ୟ ଦମଦାର ବ୍ୟାଟିଂ ଜାରି ରଖିଥିଲେ । ଶେଷରେ ୧୦୩ ବଲରୁ ଶତକ ହାସଲ କରି ଦଳକୁ ବିଜୟ ଭେଟି ଦେଇଛନ୍ତି । ୧୧୧ ବଲରୁ ୧୫ ଚୌକା ସହ ୧୧୩ ରନ କରିଛନ୍ତି ଶ୍ରେୟସ ଆୟର । ସେହିପରି ଇଶାନ କିଶାନ ମଧ୍ୟ ୮୪ ବଲରୁ ୪ଟି ଚୌକା ଏବଂ ୭ଟି ଛକା ମାରି ୯୩ ରନ କରିଛନ୍ତି । ଏହା ବ୍ୟତୀତ ସଞ୍ଜୁ ସାମସନ ୩୦ ରନ କରି ଅପରାଜିତ ରହିଛନ୍ତି । ତେବେ ଶ୍ରେୟସ ଏବଂ ଇଶାନଙ୍କ ପାର୍ଟନରସିପ ଆଜି ଭାରତକୁ ୭ ୱିକେଟରେ ବିଜୟ ଭେଟି ଦେଇଛି । ଅନ୍ୟ ପକ୍ଷରେ ସାଉଥ ଆଫ୍ରିକା ତରଫରୁ ଫରଟୁଇନ, ୱେନ ପାର୍ନେଲ ଏବଂ କାଗିସୋ ରାବାଡା ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.