fbpx

ଇଂଲଣ୍ଡକୁ ହରାଇ ଫାଇନାଲରେ ଟିମ ଇଣ୍ଡିଆ: CWG ଟୁର୍ଣ୍ଣାମେଣ୍ଟରୁ ମେଡାଲ ଆଣିବା ହେଲା ସୁନିଶ୍ଚିତ

ବର୍ମିଂହାମ: କମନୱେଲଥ ଗେମ୍ସରେ ଫାଇନାଲରେ ନିଜ ଜାଗା ପକ୍କା କରିଛି ଭାରତୀୟ ମହିଳା କ୍ରିକେଟ ଟିମ । ସେମିଫାଇନାଲରେ ଇଂଲଣ୍ଡ ଉପରେ ରୋମାଞ୍ଚକର ବିଜୟ ହାସଲ କରି ଟୁର୍ଣ୍ଣାମେଣ୍ଟରେ ମେଡାଲ ଆଶାକୁ ଆହୁରି ଦୃଢୀଭୂତ କରିଛି । ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଶେଷରେ ମାତ୍ର ୪ ରନରେ ଏକ ଦମଦାର ବିଜୟ ପାଇଛି ଟିମ ଇଣ୍ଡିଆ । ଏଥି ସହିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲ ପାଇଁ ସିଧା ଟିକେଟ ପାଇଛି ଭାରତ ।

ବର୍ମିଂହାମରେ ଖେଳାଯାଇଥିବା ଏହି ସେମିଫାଇନାଲ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଟିମ ଇଣ୍ଡିଆର କ୍ୟାପଟେନ ହରମନପ୍ରୀତ କୌର । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୫ ୱିକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଥିଲା । ତେବେ ଇଂଲଣ୍ଡ ୧୬୫ ରନ ଲକ୍ଷ୍ୟର ପିଛା କରି ୪ ରନରେ ପଛରେ ପଡିଯାଇଛି । ଫଳରେ ଏହି ମ୍ୟାଚକୁ ଜିତିବା ସହ ଫାଇନାଲରେ ସ୍ଥାନ ପକ୍କା କରିଛି ଟିମ ଇଣ୍ଡିଆ ।

ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ପାଇଁ ଜବରଦସ୍ତ ପାଳିର ଆରମ୍ଭ କରିଥିଲେ ପୂର୍ବତନ ଅଧିନାୟକ ସ୍ୱୃତି ମନ୍ଧାନା । ସେ ୬୧ ରନର ଏକ ଦମଦାର ପାଳି ଖେଳିଥିବା ବେଳେ ଜେମିମା ରୋଡ୍ରିଙ୍ଗସ ମଧ୍ୟ ୪୪ ରନର ଏକ ଧୂଆଁଧାର ଇନିଂସ ଖେଳିଥିଲେ । ଏହାବ୍ୟତୀତ ଦିପ୍ତୀ ଶର୍ମା ମାତ୍ର ୨୨ ରନ କରି ଦଳକୁ ୧୬୪ ରନରେ ପହଞ୍ଚାଇଥିଲେ ।

ତେବେ ଶେଷ ଓଭରରେ ବିଜୟ ପାଇଁ ୧୪ ରନ ଆବଶ୍ୟକ ଥିବା ବେଳେ ସ୍ନେହ ରାଣାଙ୍କୁ ବଲ୍ ଦେଇଥିଲେ ଅଧିନାୟକ ହରମନପ୍ରୀତ । ଏହି ଓଭରରେ ୧ ୱିକେଟ ହାସଲ କରିବା ସହିତ ୯ ରନ ଖର୍ଚ୍ଚ କରିଥିଲେ । ଯାହା ଫଳରେ ଭାରତକୁ ବିଜୟ ଭେଟି ଦେଇଥିଲେ ସ୍ନେହ । ଏହି ମ୍ୟାଚରେ ସେ ୨ଟି ୱିକେଟ ହାସଲ କରିଥିବା ବେଳେ ଦିପ୍ତୀ ଶର୍ମାଙ୍କୁ ଗୋଟିଏ ସଫଳତା ମିଳିଛି ।

Get real time updates directly on you device, subscribe now.