fbpx

ହଂକଂକୁ ହରାଇ ସୁପର-୪ରେ ଟିମ୍ ଇଣ୍ଡିଆ: ପୁଣି ହୋଇପାରେ ପାକ୍ ଟକ୍କର

ନୂଆଦିଲ୍ଲୀ: ହଂକଂକୁ ହରାଇ ଟିମ୍ ଇଣ୍ଡିଆ ଏସିଆ କପର ସୁପର-୪ରେ ପହଞ୍ଚିଛି । ଏହା ପୂର୍ବରୁ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରିଥିଲା । ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଧମାକାରେ ଟିମ୍ ଇଣ୍ଡିଆ ହଂକଂକୁ ୪୦ ରନରେ ମାତ୍ ଦେଇଛି । ଭାରତର ତା’ର ପରବର୍ତ୍ତୀ ମ୍ୟାଚ ଆସନ୍ତା ୪ ତାରିଖରେ ଖେଳିବାକୁ ଥିବା ବେଳେ ପୁଣି ପାକିସ୍ତାନ ସହ ମୁହାଁମୁହିଁ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ଭାରତର ୧୯୨ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ହଂକଂ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ମାତ୍ର ୧୫୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ହଂକଂର କୌଣସି ବ୍ୟାଟ୍ସମ୍ୟାନ ୫୦ ରନ ଉପରକୁ ଅତିକ୍ରମ କରିପାରିନଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡେଜା, ଅଭିଶ ଖାନ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ପୂର୍ବରୁ ବିରାଟଙ୍କ (୫୯) ଓ ସୂର୍ଯ୍ୟକୁମାରଙ୍କ (୬୮) ରନ ସହାୟତାରେ ଭାରତ ଦୁଇ ୱିକେଟ ହରାଇ ୧୯୨ ରନ୍ ହାସଲ କରିଥିଲା । ହଂକଂର ଦୁର୍ବଳ ବୋଲିଂ ଫାଇଦା ଉଠାଇଥିଲେ ଭାରତୀୟ ଧୁରନ୍ଧରମାନେ । ହଂକଂ ପକ୍ଷରୁ ମହମ୍ମଦ ଘଜନଫାର ଓ ଆୟୁଷ ଶୁକ୍ଲା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ହଂକଂ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆସନ୍ତାକାଲି ପାକିସ୍ତାନ-ହଂକଂ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚ ଜିତିଲେ ପାକିସ୍ତାନ ସୁପର-୪ରେ ପହଞ୍ଚିଯିବ । ଏଭଳି ସ୍ଥିତିରେ ଭାରତ-ପାକ୍ ମ୍ୟାଚ ହେବା ଥୟ । ଆସନ୍ତା ୪ରେ ଗ୍ରୁପ-ଏର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.