fbpx

ବିରାଟ କୋହଲିଙ୍କ ପାଇଁ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଫସିଲା ପେଞ୍ଚ, ଚିନ୍ତାରେ ଦଳ ପ୍ରବନ୍ଧକ

ବର୍ମିଂହାମ: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ବର୍ମିଂହାମରେ ଖେଳାଯିବ। ତେବେ ଭାରତର ଚୂଡାନ୍ତ ଏକାଦଶକୁ ନେଇ ଚିନ୍ତାରେ ଅଧିନାୟକ ରୋହିତ ଶର୍ମା ଏବଂ ଦଳୀୟ ପ୍ରବନ୍ଧକ। ଇଂଲଣ୍ଡ ବିପକ୍ଷ ଏକ ମାତ୍ର ଟେଷ୍ଟ ଖେଳିଥିବା ଖେଳାଳି ଫେରିବା ପରେ ଦଳ ପ୍ରବନ୍ଧକ ଚୂଡାନ୍ତ ଏକାଦଶକୁ ନେଇ ଦ୍ଵନ୍ଦ୍ଵରେ। ବିଶେଷ କରି ଦଳର ସବୁଠୁ ବଡ ସମସ୍ୟା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ। କାରଣ ତାଙ୍କୁ ବାହାରେ ବସାଯାଇ ପାରିବ ନାହିଁ। ତେବେ ପ୍ରଶ୍ନ ଉଠୁଛି କେଉଁ ଖେଳାଳିଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିବ।

ଏହି ସମୟରେ ଆଉ ଏକ ବଡ ପ୍ରଶ୍ନ ଏହା ଯେ, ରୋହିତ ଶର୍ମାଙ୍କ ସହ କିଏ ଓପନିଂ କରିବ। ଯଦି ରାଇଟ୍ ଏବଂ ଲେଫ୍ଟ ରଣନୀତି ଉପରେ ନଜର ପକାଇବା ତେବେ ରୋହିତ ଶର୍ମାଙ୍କ ସହିତ ଇଶାନ କିଷନ ନଚେତ୍ ଋଷଭ ପନ୍ତ ଓପନିଂ କରି ପାରନ୍ତି। ଏମିତିରେ ମଧ୍ୟ କ୍ରମରେ ଦୀପକ ହୁ଼ଡ୍ଡା, ସୂର‌୍ୟ୍ୟକୁମାର ଏବଂ ଶ୍ରେୟସ ଆୟରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। କାରଣ ବିରାଟ କୋହଲି ଚୂଡାନ୍ତ ଏକାଦଶକୁ ଫେରିବେ।

ବିରାଟ କୋହଲିଙ୍କ ସ୍ଥାନରେ ଯଦି ଅନ୍ୟ କେହି ଥାଆନ୍ତେ ତେବେ ନିଶ୍ଚିତ ଭାବେ ତାଙ୍କୁ ଦଳରୁ ବାହାରେ ବସିବାକୁ ପଡିଥାନ୍ତା। କିନ୍ତୁ କୋହଲିଙ୍କ ସହିତ ଏମିତି କରାଯାଇ ପାରିବ ନାହିଁ। ହୋଇପାରେ ସେ ଫର୍ମରେ ନାହାନ୍ତି। ରନ ପାଇଁ ସଂଘର୍ଷ କରୁଛନ୍ତି। ସେ କେଉଁ ସ୍ତରର ଖେଳାଳି ତାହା ସମସ୍ତଙ୍କୁ ବେଶ ଭଲ ଭାବେ ଜଣା। ଥରୁଟିଏ ତାଙ୍କ ବ୍ୟାଟ୍ ଚାଲିଲେ ସେ ଏକାକୀ ଦଳକୁ ଜିତାଇବର ସାମର୍ଥ୍ୟ ରଖିଛନ୍ତି।

ଯଦି ବିରାଟ କୋହଲିଙ୍କୁ ଓପନିଂ କରାଯାଏ ତେବେ ପନ୍ତ କିମ୍ବା ଇଶାନଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ। ଏମିତି ସ୍ଥିତିରେ ଦୀପକ ହୁଡ୍ଡା ନମ୍ବର ୩ରେ ଖେଳି ପାରନ୍ତି। ଯଦି ବିରାଟ କୋହଲି ନମ୍ବର ୩ରେ ବ୍ୟାଟିଂ କରନ୍ତି ତେବେ ଦୀପକ ହୁଡ୍ଡା ଓପନିଂ କରି ପାରନ୍ତି। ଏମିତିରେ ନମ୍ବର ଚାରିରେ ସୂର‌୍ୟ୍ୟକୁମାର ଯାଦବଙ୍କ ସ୍ଥାନ ସୁନିଶ୍ଚିତ ଏବଂ ଶ୍ରେୟସ ଆୟରଙ୍କୁ ବାହାରେ ବସିବାକୁ ପଡିପାରେ। କାରଣ ନମ୍ବର ପାଞ୍ଚରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ।

ନମ୍ବର ୬ରେ ଓ୍ଵିକେଟ୍ କିପର ଭାବେ ଋଷଭ ପନ୍ତ ନୁହେଁ ବରଂ ଫିନିସର ଦିନେଶ କାର୍ତ୍ତିକଙ୍କ ଖେଳିବା ନିଶ୍ଚିତ ଲାଗୁଛି। ସପ୍ତମରେ ରବୀନ୍ଦ୍ର ଜାଡେଜା ଯିଏ ଅକ୍ଷର ପଟେଲଙ୍କ ସ୍ଥାନ ନେବେ। ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଯଶପ୍ରୀତ ବୁମରା ଏବଂ ୟୁଜବେନ୍ଦ୍ର ଚହଲ ଖେଳିବା ନିଶ୍ଚିତ। ଏମିତିରେ ସବୁଠୁ ବଡ ପ୍ରଶ୍ନ ଦଳ ସଂଯୋଜନା ପାଇଁ କେଉଁ ଖେଳାଳିଙ୍କ ବଳି ଦିଆଯିବ, କାରଣ ଅଧିକାଂଶ ଖେଳାଳି ଫର୍ମରେ ହିଁ ଅଛନ୍ତି।

 

Get real time updates directly on you device, subscribe now.