fbpx

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଏହି ପ୍ଲେଇଙ୍ଗ XI ସହ ପଡିଆକୁ ଓହ୍ଲାଇପାରେ ଭାରତ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ଆରମ୍ଭ ହେବା ପୂର୍ବରୁ ପ୍ରବଳ ଦାବିଦାର ଥିବା ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ଭୋଗିଛି । ଦଳ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ନିକଟରୁ ଲଜ୍ଜାଜନକ ପରାଜୟ ଭୋଗି ଗ୍ରୁପ ୨ରେ ପଞ୍ଚମ ସ୍ଥାନରେ ରହିଛି । ଦଳ ସେମି ଫାଇନାଲରେ ପ୍ରବେଶ କରିବା ରାସ୍ତା ପ୍ରାୟତଃ ବନ୍ଦ ହୋଇ ଯାଇଛି । ଆଜି ନିଜର ତୃତୀୟ ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଫଗାନିସ୍ତାନକୁ ଭେଟିବ । ଚଳିତ ବିଶ୍ୱ କପରେ ଆଫଗାନିସ୍ତାନର ପ୍ରଦର୍ଶନ ପ୍ରଭାବଶାଳୀ ରହିଛି । ଦଳ ସ୍କଟଲାଣ୍ଡ ଓ ନାମିବିୟାକୁ ହରାଇବା ପରେ ତୃତୀୟ ମ୍ୟାଚରେ ପାକିସ୍ତାନକୁ ପରାଜୟର ଦ୍ୱାର ଦେଶରେ ପହଞ୍ଚାଇ ଦେଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ଦଳ ହାରି ଯାଇଥିଲା । ଅନ୍ୟପଟେ ଭାରତ ଟି-୨୦ ବିଶ୍ୱ କପରୁ ବାହାର ହେବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଯଦି ଦଳ ଆଜି ଆଫଗାନିସ୍ତାନ ନିକଟରୁ ପରାଜିତ ହୁଏ ତେବେ ଦଳର ଅଭିଯାନ ସମାପ୍ତ ହେବ ।

ଏହି ମ୍ୟାଚ୍ ଜିତିଲେ ବି ଭାରତୀୟ ଦଳକୁ କୌଣସି ପ୍ରଶଂସା କି କ୍ରେଡିଟ୍ ମିଳିବ ନାହିଁ । ମାତ୍ର ହାରିଲେ ଦଳ ବିରୋଧରେ ସମାଲୋଚନାର ସ୍ୱର ଆହୁରି ତୀବ୍ରତର ହେବ । ଆଜିର ମ୍ୟାଚରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରି ପାରନ୍ତି । ଗତ ମ୍ୟାଚରେ ଏଥିରେ ଦଳ ପରିବର୍ତ୍ତନ କରିଥିଲା । ରାହୁଲଙ୍କ ସହ ଇଶାନ କିଶନଙ୍କୁ ଓପନିଂ ଭାବେ ସୁଯୋଗ ଦିଆଯାଇଥିଲା । ହେଲେ କିଶନ ସୁଯୋଗର ଫାଇଦା ଉଠାଇ ପାରିନଥିଲେ । ସୂର୍ଯ୍ୟକୁମାର ଯାଦବ ଯଦି ଫିଟ୍ ଥାଆନ୍ତି ତେବେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସୁଯୋଗ ମିଳିପାରେ । ଗତ ମ୍ୟାଚରେ ସେ ଆହତ କାରଣରୁ ଖେଳି ପାରିନଥିଲେ ।

ଏହା ବ୍ୟତୀତ ଏହି ମ୍ୟାଚରେ ଏହା ଦେଖିବା ବହୁତ ରୋଚକ ହେବ ଯେ, ଭାରତୀୟ ଅଧିନାୟକ ବରିଷ୍ଠ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ଦେବେ ନା ପୁଣି ଥରେ ବରୁଣ ଚକ୍ରବର୍ତ୍ତୀଙ୍କ ଉପରେ ଭରସା ପ୍ରକଟ୍ କରିବେ । ଏମିତିରେ ବରୁଣ ଦୁଇଟି ମ୍ୟାଚରେ କୌଣସି ଆଖିଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି । ତେଣୁ ଚୂଡାନ୍ତ ଏକାଦଶରେ ଅଶ୍ୱିନଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଜିର ମ୍ୟାଚରେ ଏମିତି ହୋଇପାରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ।

ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ଦଳ

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଆର ଅଶ୍ୱିନ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା ।

 

Get real time updates directly on you device, subscribe now.