fbpx

କ୍ରମାଗତ ପରାଜୟ ପରେ ମର୍ମାହତ ୱେଷ୍ଟଇଣ୍ଡିଜର ତାରକା ଅଲରାଉଣ୍ଡର, ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ଦଳ ଟି-୨୦ ବିଶ୍ୱ କପରୁ ବାହାର ହୋଇ ଯାଇଛି । ଗୁରୁବାର ଡିଫେଣ୍ଡିଂ ଚାମ୍ପିଅନ ୱେଷ୍ଟଇଣ୍ଡିଜକୁ ଶ୍ରୀଲଙ୍କା ୨୦ ରନରେ ହରାଇଛି । ଟୁର୍ଣ୍ଣାମେଣ୍ଟରେ ଏହା ଇଣ୍ଡିଜର ତୃତୀୟ ପରାଜୟ । ଲଗାତାର ପରାଜୟ ପରେ ଦଳର ତାରକା ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହି ବିଶ୍ୱ କପ୍ ହେଉଛି ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ । ୩୮ ବର୍ଷୀୟ ବ୍ରାଭୋ ୨୦୧୯ରେ ନିଜର ଅବସର ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେହି ସମୟରେ ବ୍ରାଭୋ କହିଥିଲେ ଯେ, ସେ ନିଜ ଦଳକୁ ପୁଣି ଥରେ ଚାମ୍ପିଅନ କରାଇବା ଉଦ୍ଦେଶ୍ୟରେ ମଇଦାନକୁ ଫେରୁଛି । ଏ ପର୍ଯ୍ୟନ୍ତ ସାତ ଟି-୨୦ ବିଶ୍ୱ କପ୍ ଖେଳିଥିବା ବ୍ରାଭୋ ୨୦୧୨ ଓ ୨୦୧୬ରେ ନିଜ ଦଳକୁ ଚାମ୍ପିଅନ କରାଇଥିଲେ ।

ଶ୍ରୀଲଙ୍କା ନିକଟରୁ ପରାଜୟ ପରେ ବ୍ରାଭୋ କହିଛନ୍ତି, ମୋତେ ଲାଗୁଛି କ୍ରିକେଟରୁ ଅବସର ନେବାର ସମୟ ଉପନ୍ନୀତ ହୋଇ ଯାଇଛି । ମୋ କ୍ୟାରିୟର ବହୁତ ଭଲ ରହିଛି । ମୁଁ ୧୮ ବର୍ଷ ଧରି ୱେଷ୍ଟଇଣ୍ଡିଜ ପାଇଁ କ୍ରିକେଟ୍ ଖେଳିଛି । କ୍ୟାରିୟର ମୋର ଉତଥାନ ପତନ ଦେଇ ଗତି କରିଛି । ମୁଁ ଏହି କ୍ଷେତ୍ରରେ କ୍ୟାରିବିୟାଇ ଲୋକଙ୍କ ପାଇଁ ଦୀର୍ଘ ସମୟ ଧରି ପ୍ରତିନିଧିତ୍ୱ କରିଥିବାରୁ କୃତଜ୍ଞ । ମୁଁ ଏହାକୁ ନେଇ ଗର୍ବିତ ଯେ, ଆମେ ବିଶ୍ୱ ମଞ୍ଚରେ ନିଜର ଭିନ୍ନ ଛାପ ଛାଡିବାରେ ସଫଳ ହୋଇଛୁ ।

ବ୍ରାଭୋ କହିଛନ୍ତି, ଭବିଷ୍ୟତରେ ସେ ଯୁବ କ୍ରିକେଟରଙ୍କୁ ଆଗକୁ ନେଇ ଯିବା ପାଇଁ ଉଦ୍ୟମ କରିବି । ମୋର ଯାହା ଅନୁଭବ ଏବଂ ଅଭିଜ୍ଞତା ରହିଛି ତାହା ଯୁବ ଖେଳାଳିଙ୍କୁ ଦେବାକୁ ଚେଷ୍ଟା କରିବି । ମୋତେ ଲାଗୁଛି ଧଳା ବଲ ଫର୍ମାଟରେ ୱେଷ୍ଟଇଣ୍ଡିଜ କ୍ରିକେଟର ଭବିଷ୍ୟତ ଉଜ୍ଜ୍ୱଳ ରହିଛି ।
ବ୍ରାଭୋ ୨୦୦୪ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ଏହା ପରଠୁ ସେ କ୍ରମାଗତ କ୍ରିକେଟ୍ ଖେଳି ଚାଲିଥିଲେ । ଅନ୍ତତର୍ଜାତୀୟ କ୍ରିକେଟରେ ତାଙ୍କ ନାମରେ ୬ ହଜାରରୁ ଅଧିକ ରନ ରହିଛି । ସେ ଦିନିକିଆରେ ୧୯୯ ଏବଂ ଟେଷ୍ଟରେ ୮୬ ୱିକେଟ୍ ନେଇଛନ୍ତି । ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ୍ ୭୮ ୱିକେଟ୍ ନେଇଛନ୍ତି । ୨୦୧୩ ଆଇପିଏଲରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳି ସର୍ବାଧିକ ୩୨ ୱିକେଟ୍ ନେଇଥିଲେ ।

 

Get real time updates directly on you device, subscribe now.