fbpx

ଅସହ୍ୟ ତାତି ସହ ଗୁଳୁଗୁଳି: ୪୦ ଡିଗ୍ରୀ ଉପରେ ୧୩ ସହରର ତାପମାତ୍ରା, ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ହେଉଛି ଅସହ୍ୟ ତାତି । ଶୁକ୍ରବାର ଦିନ ପଶ୍ଚିମ ଓଡ଼ିଶାର ତାତି ସବୁ ରେକର୍ଡ ଭାଙ୍ଗିଛି । ଶୁକ୍ରବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିଲା । ଏଥିସହ ୬ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା । ୪୫ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ତତଲାଗଡ଼ ପାଲଟିଥିବା ବେଳେ ବଲାଙ୍ଗୀରରେ ସର୍ବୋଚ୍ଚ ୪୪.୯ ଡିଗ୍ରୀ, ବୌଦ୍ଧରେ ୪୪.୫ , ସମ୍ବଲପୁରରେ ୪୪.୪, ସୋନପୁରରେ ୪୪.୩ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୪.୨ଡିଗ୍ରୀ ରେକର୍ଡ ହୋଇଥିଲା । ଚଳିତ ବର୍ଷ ପ୍ରଥମଥର ପାଇଁ ଶୁକ୍ରବାର ଦିନ ୬ଟି ସହର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିଛି । ଏହା ନିଜ ଭିତରେ ଏକ ରେକର୍ଡ । ଏଥିସହ ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି ।

ଅନ୍ୟପଟେ ଉପକୂଳର ପାଗ ବର୍ତ୍ତମାନ ମେଘୁଆ ରହୁଛି । ଉପକୂଳର ସର୍ବାଧିକ ତାପମାତ୍ରା ୩୮ଡିଗ୍ରୀ ପାଖାପାଖି ରହୁଥିଲେ ମଧ୍ୟ ଗୁଳୁଗୁଳି ସୀମା ଲଂଘିଛି । ଶୁକ୍ରବାର ଦିନ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୮ଡିଗ୍ରୀ ଓ କଟକରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରହିଥିଲା । ଉପକୂଳ ଓଡ଼ିଶାରେ ୪୪ଡିଗ୍ରୀ ପର୍ଯ୍ୟନ୍ତ ଗରମ ଅନୁଭୂତ ହେଉଛି ।

ସୂଚନା ମୁତାବକ, ଆଜି କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

Get real time updates directly on you device, subscribe now.