୧୭ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଲା: ଆଜି ୧୦ ଜଣଙ୍କ ମୃତ୍ୟୁ, ୬୦୭୩ ପଜିଟିଭ୍

ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ୧୭ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି । ଏହା ମଧ୍ୟରେ ଆଜି ପୁଣି ୬୦୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୫୨୨ ଓ ସ୍ଥାନୀୟ ଅଞ୍ଚଳରୁ ୨୫୫୧ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୨୦୦୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪ ଜଣ, ସୁନ୍ଦରଗଡ଼ରୁ ୩ ଜଣ, ରାୟଗଡ଼ାରୁ ୨ ଜଣ, ବୌଦ୍ଧରୁ ଜଣେ ରହିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୬୭ ହଜାର ୧୧୧ ରହିଥିବା ବେଳେ ୫୦ ହଜାର ୯୫୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।