fbpx

୧୯୯୯ ମହାବାତ୍ୟା: ୨୨ ବର୍ଷ ତଳେ ଓଡ଼ିଶାକୁ ମାଡ଼ି ଆସିଥିଲା ମହାପ୍ରଳୟ, ପ୍ରକୃତିର ଭୟଙ୍କର ଗର୍ଜନରେ ଲିଭି ଯାଇଥିଲା ୧୦ ହଜାର ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ । ଓଡ଼ିଶା ଇତିହାସର ଏକ ଅଭୁଲା ଦିନ । ଏହି ଦିନ ରାଜ୍ୟକୁ ମାଡ଼ି ଆସିଥିଲା ମହାବାତ୍ୟା । ଏହା ମଧ୍ୟରେ ୧୯୯୯ ମହାବାତ୍ୟାକୁ ୨୩ ବର୍ଷ ପୂରିଥିବା ବେଳେ ରାଜ୍ୟ ହରାଇଛି ଅନେକ ଧନଜୀବନ । ଏହି ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକଙ୍କର ଜୀବନ ଦୀପ ଲିଭି ଯାଇଥିବା ବେଳେ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିଲା । ତେବେ ୨୨ ବର୍ଷ ତଳର ସେଇ ମହାପ୍ରଳୟକୁ ଆଖି ଆଗରେ ଦେଖିଥିବା ଲୋକଙ୍କର ଶରୀର ଆଜି ବି ଶିହରୀ ଉଠୁଛି ।

୧୯୯୯ ମହାବାତ୍ୟାରେ ପ୍ରଥମ ଥର ପାଇଁ ରାଜ୍ୟବାସୀ ଘଣ୍ଟାକୁ ୩୫୦ କିମି ବେଗରେ ବହୁଥିବା ପବନର ତାଣ୍ଡବଲୀଳା ଦେଖିଥିଲେ । ଆକାଶ ଓ ସାଗର ଏକାକାର ହୋଇ ଧରିତ୍ରୀ ବକ୍ଷରେ ଲେଖିଥିଲେ ମହାଭାରତ ଯୁଦ୍ଧର କାହାଣୀ । ଏହି ମହାବାତ୍ୟାରେ ହଜାର ହଜାର ଘର ସମ୍ପୂର୍ଣ୍ଣ ଧୋଇ ଯାଇଥିବା ବେଳେ ଲକ୍ଷ ଲକ୍ଷ ଘର ଭାଙ୍ଗି ଯାଇଥିଲା ।

ତେବେ କେବଳ ମହାବାତ୍ୟା ନୁହେଁ, ଓଡ଼ିଶା ଏଇ ଦୀର୍ଘ ୨୨ ବର୍ଷ ମଧ୍ୟରେ ସାତଟି ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଛି । ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତଲି, ୨୦୧୯ରେ ଫନି, ୨୦୨୦ରେ ଅମ୍ଫନ ଓ ୨୦୨୧ରେ ଜୱାଦ ଆଣି ଦେଇଥିଲା ରାଜ୍ୟବାସୀଙ୍କ ପାଇଁ ମହାବିପତ୍ତି । ଏହି ସମସ୍ତ ବାତ୍ୟାରେ ରାଜ୍ୟ ୩୦ ହଜାର କୋଟିରୁ ଅଧିକ ସମ୍ପତ୍ତି ହରାଇଥିବା ବେଳେ ୧୫ ହଜାରରୁ ଅଧିକ ଲୋକଙ୍କୁ ହରାଇଛି ।

ତେବେ ଏତେସବୁ ବିପଦ ପରେ ବି ଆଜି ରାଜ୍ୟ ବିକାଶ ଆଡ଼କୁ ଅଗ୍ରଗତି ଜାରି ରଖିଛି । ଦିନକୁ ଦିନ ଜଳବାୟୁରେ ପରିବର୍ତ୍ତନ ଘଟୁଥିବାରୁ ଆଗକୁ ମଧ୍ୟ ଆହୁରି ବିପଦ ସମ୍ଭାବନା ରହିଥିବା ପରିବେଶବିତମାନେ ଆକଳନ କରିଛନ୍ତି । ଆଜି ବାତ୍ୟା ଓଡ଼ିଶାର ଚିର ସହଚର ପାଲଟିଛି । ମାତ୍ର ଏହି ସମସ୍ତ ପ୍ରାକୃତିକ ଦୁର୍ବିପାକକୁ ଧୈର୍ଯ୍ୟ ଓ ସାହସର ସହ ପ୍ରତିରୋଧ କରିବାରେ ସକ୍ଷମ ହୋଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ସୁପରିଚାଳନା ନେଇ ଓଡ଼ିଶା ଆଜି କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱବାସୀଙ୍କ ପାଇଁ ଆଦର୍ଶ ପାଲଟି ଯାଇଛି ।

Get real time updates directly on you device, subscribe now.