fbpx

ସିକ୍କିମ୍ ସୀମାରେ ଭାରତ-ଚୀନ୍ ସେନା ହାତାହାତି, ଉଭୟ ପକ୍ଷର ଅନେକ ଆହତ

ଗ୍ୟାଙ୍ଗଟକ୍, ୧୦ା୫: ସିକ୍କିମ୍ ସୀମାରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି । ଭାରତୀୟ ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉତ୍ତର ସିକ୍କିମ୍ ଅଞ୍ଚଳର ନାକୁଲା ସେକ୍ଟରରେ ଏପରି ଘଟଣା ଘଟିଛି । ଏପରିକି ଏହି ମୁହାଁମୁହିଁ ସମୟରେ ଉଭୟ ପକ୍ଷର ସେନା ହାତାହାତି ମଧ୍ୟ ହୋଇଥିଲେ । ଏହି ଘଟଣାରେ ଉଭୟ ପକ୍ଷର ଅନେକ ସୈନିକ ଆହତ ମଧ୍ୟ ହୋଇଛନ୍ତି । ତେବେ ଏହି ଘଟଣାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଛି ଏବଂ ଉଭୟ ପକ୍ଷର ସେନା ନିଜ ନିଜ ପୋଷ୍ଟକୁ ଫେରି ଯାଇଛନ୍ତି ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ନାକୁଲା ସେକ୍ଟର ସମୁଦ୍ର ପତନଠାରୁ ୫ ହଜାର ମିଟର ଉଚ୍ଚତାରେ ରହିଛି ।


ପ୍ରକାଶଯୋଗ୍ୟ, ୨୦୧୭ ମସିହାରେ ଡେକଲାମ୍ ସେକ୍ଟରେ ଭାରତ ଓ ଚୀନ୍ ସେନା ମଧ୍ୟରେ ବିବାଦ ସୃଷ୍ଟି ହେବା ସହ ୭୩ ଦିନ ପର୍ଯ୍ୟନ୍ତ ଗତିରୋଧ ଜାରି ରହିଥିଲା । ଚୀନ୍ ସେନା ଏହି ଅଞ୍ଚଳରେ ସଡ଼କ ନିର୍ମାଣ ଆରମ୍ଭ କରିଥିଲା । ଭୁଟାନକୁ ସହାୟତାର ହାତ ବଢ଼ାଇ ଭାରତୀୟ ସେନା ଡୋକଲାମ୍ ପର୍ଯ୍ୟନ୍ତ ପହଞ୍ଚି ଡୋକଲାମରେ ଚୀନର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ । ଏହାପରେ ୭୩ ଦିନ ପର୍ଯ୍ୟନ୍ତ ଭାରତ ଓ ଚୀନ୍ ସେନା ନିଜ ନିଜ ସ୍ଥାନରେ ଜିଦରେ ଅଟଳ ରହିଥିଲେ । ରାଜନୈତିକ ସ୍ତରରେ ଆଲୋଚନା ପରେ ଅଗଷ୍ଟ ମାସରେ ଗତିରୋଧ ସମାପ୍ତ ହୋଇଥିଲା । ପ୍ରକାଶଯୋଗ୍ୟ, ଡୋକଲାମ୍ ଏକ ବିବାଦୀୟ ସ୍ଥାନ ଯାହା ଉପରେ ଉଭୟ ଚୀନ୍ ଓ ଭୁଟାନ ନିଜ ନିଜର ଦାବି ଉପସ୍ଥାପନ କରି ଆସୁଛନ୍ତି । ଏହାସହ ଏହି ଅଞ୍ଚଳ ଭାରତୀୟ ସୀମାରେ ମଧ୍ୟ ଥିବାରୁ ସାମରିକ ଦୃଷ୍ଟିରୁ ଭାରତ ପାଇଁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.