fbpx

ମାଲଦୀପରୁ ଫେରିଲେ ୬୯୮ ଭାରତୀୟ

ନୂଆଦିଲ୍ଲୀ, ୧୦ା୫: ମାଲଦୀପ ମାଲେରେ ଫସି ରହିଥିବା ୬୯୮ଜଣ ଭାରତୀୟଙ୍କୁ ରବିବାର ଭାରତ ଅଣାଯାଇଛି । ନୌସେନାର ଆଇଏନ୍ଏସ୍ ଜଳସ୍ୱ ଜାହାଜ ଜରିଆରେ ସେମାନେ କେରଳର କୋଚି ପହଞ୍ଚିଥିବା ନେଇ ସୂଚନା ଦିଆଯାଇଛି । ସମୁଦ୍ର ସେତୁ ଅଭିଯାନରେ ସେମାନଙ୍କୁ ନିଜ ଦେଶକୁ ଅଣାଯାଇଛି । ତେବେ ଏହି ୬୯୮ ଜଣଙ୍କ ମଧ୍ୟରେ ୧୯ଜଣ ଗର୍ଭବତୀ ଓ କେତେକ ଶିଶୁ ରହିଥିବା ଜଣାପଡ଼ିଛି । ଏହାସହ ଏହି ଜାହାଜରେ ଜରୁରୀ ଔଷଧ ସମେତ ଅନେକ ଚିକିତ୍ସା ସାମଗ୍ରୀ ମହଜୁଦ୍ କରି ରଖାଯାଇଥିଲା । ପ୍ରକାଶଯୋଗ୍ୟ, ବିଦେଶରେ ଫସି ରହିଥିବା ଲୋକଙ୍କୁ ଭାରତ ଫେରାଇ ଆଣିବା ପାଇଁ ନୌସେନା ସମୂଦ୍ର ସେତୁ ଅଭିଯାନ ଆରମ୍ଭ କରିଛି ।

ବିଦେଶରେ ଫସି ରହିଥିବା ଲୋକଙ୍କୁ ଆଣିବା ପ୍ରସଙ୍ଗରେ କେରଳ ସରକାର ହାଇକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେହି ଅନୁସାରେ କେରଳ ଫେରିବାକୁ ଥିବା ଲୋକଙ୍କ ମଧ୍ୟରେ ୯୫୭୨ ଗର୍ଭବତୀ ଅଛନ୍ତି । ବିଦେଶରେ ଫସିଥିବା ଲୋକଙ୍କୁ ଅଣାଯାଉ ବୋଲି ଦାବି କରି କେରଳ ହାଇକୋର୍ଟଙ୍କ ନିକଟରେ ଅନେକ ଆବେଦନ ଦାଖଲ ହୋଇଛି । ଏହି ମାମଲାର ପରବର୍ତ୍ତି ଶୁଣାଣୀ ଅସନ୍ତା ଗୁରୁବାର ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି । କେରଳ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିଦେଶରୁ ଫେରିବାକୁ ଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଏକ ଲକ୍ଷ ପନ୍ଦର ହଜାର ଆଟାଚ୍ ବାଥରୁମ୍ ବିଶିଷ୍ଟ ହଲ୍ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ଏକ ସପ୍ତାହ ପାଇଁ କ୍ୱାରେଣ୍ଟାଇନ୍ରେ ରଖାଯିବ ।

Get real time updates directly on you device, subscribe now.